ରାତିରେ ଥାନାରେ ଅଟକ ଘଟଣା ନେଇ ଯୁବତୀଙ୍କ ଆତ୍ମହତ୍ୟା

ନବରଙ୍ଗପୁର :ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଥାନାରେ ଗତ ଗୁରୁବାର ରାତିରେ ୨ ଯୁବତୀଙ୍କୁ ଥାନାରେ ଅଟକ ଘଟଣାରେ ଲୋକ ଲଜ୍ୟା ସହି ନ ପାରି ଜଣେ ଯୁବତୀ କୀଟନାଶକ ପିଇ ଆଜି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଯୁବତୀ ଜଣକ ହେଲେ ଟେମରା ପଞ୍ଚାୟତ ବେଲପୁଟି ଗ୍ରାମର ନବୀନା ପୂଜାରୀ(୨୨) । ମିଳିଥିବା ସୂଚନା ଅନୁଯାୟୀ ବେଲପୁଟି ଗ୍ରାମର ନବୀନା ପୂଜାରୀ ଓ ଗ୍ରାମର ଆଉ ଜଣେ ଯୁବତୀ ଗୁରୁବାର ରାତିରେ ସମ୍ପର୍କୀୟମାନଙ୍କ ସାଥିରେ ମୋଟର ସାଇକେଲ ଯୋଗେ ପଣ୍ଡୁଗୁଡା ଗ୍ରାମକୁ ଯାଉଥିଲେ । ସନ୍ତୋଷପୁର ନିକଟରେ ରାତ୍ରି ପେଟ୍ରୋଲିଂରେ ଥିବା କୋଷାଗୁମୁଡା ପୋଲିସ ଅଟକାଇ ପଚରା ଉଚରା କରି ରାତି ୧୦ରୁ ରାତି ୩ଟା ପର୍ଯ୍ୟନ୍ତ ଅଟକ ରଖିଥିଲେ । ରାତି ୩ଟାରେ ନବୀନାଙ୍କ ମାମୁଁ ଓ ସାନ ବାପାଙ୍କୁ ଡାକି ଥାନାରୁ ଡାକି ୨ ଯୁବତୀଙ୍କୁ ଜିମା ଦେଇ ଛାଡିଦେଇଥିଲେ । ଉକ୍ତ ଥାନାରେ ଅଟକ ଘଟଣାକୁ ନେଇ ସକାଳେ ଗ୍ରାମରେ ଲୋକେ ନାହି ନଥିବା ଟାହି ଟାପୁରା କଥା କହିଥିଲେ । ଯାହାକୁ ନେଇ ନବୀନା ଘରୁ ବାହାରିବା ଅସହ୍ୟ ହୋଇଥିବା ନେଇ ଆଜି ଦିନ ୨ଟା ସମୟରେ ଘରେ କୀଟନାଶକ ପିଇ ଦେଇଥିବା ନବୀନାଙ୍କ ମା ଆସମତି ପୂଜାରୀ ସୂଚନା ଦେଇଛନ୍ତି । ଗୁରୁତର ଅବସ୍ଥାରେ ନବୀନାଙ୍କୁ ୧୦୮ ଯୋଗେ ଚିକିତ୍ସା ପାଇଁ କୋଷାଗୁମୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ରିପୋର୍ଟ ଲେଖିବା ସୁଧା କୋଷାଗୁମୁଡା ଥାନାରେ କୌଣସି ମାମଲା ରୁଜୁ କରାଯାଇନାହିଁ । ମାମଲାର ଉଚ୍ଚସ୍ତରୀୟ ତଦନ୍ତ ନିମନ୍ତେ ମୃତ ନବୀନାଙ୍କ ମାଁ ଆସମତି ଦାବି କରିଛନ୍ତି ।

Comments (0)
Add Comment