ସୀମାନ୍ତର ପ୍ରହରୀ କବି ଭାଗୀରଥି ପାତ୍ରଙ୍କ ୮୪ତମ ଜୟନ୍ତୀ, ଅଶୋକ ପଟ୍ଟନାୟକ ପାଇଲେ ଭାଗୀରଥି ସମ୍ମାନ

ନବରଙ୍ଗପୁର : ଓଡିଶା ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ଓ ଭାଗୀରଥି ସ୍ମୃତି ସଂସଦ ସହଯୋଗରେ ସ୍ଥାନୀୟ ରାଜା ଚୈତନ୍ୟ ଦେବ ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ସାହିତ୍ୟିକ ଭାଗୀରଥି ପାତ୍ରଙ୍କ ୮୪ ତମ ଜୟନ୍ତୀ ସମାରୋହ-ସ୍ମୃତି ସଭା ଓ ପ୍ରତିଭା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁରର ଜିଲ୍ଲା ଓ ଦୌରା ଜଜ ସଂଜୀବ ଦୁବେ ଯୋଗ ଦେଇ “ପାତ୍ରଙ୍କ ହାତ ଲେଖା ମାସିକ ପତ୍ରିକା “ଶୈଶବ”, ତାଙ୍କ ସାହିତ୍ୟ ସଂଗଠନ ଓ କୃତି ଷାଠିଏ ଦଶକରେ ଓଡିଶାର ସାହିତ୍ୟ କ୍ଷେତ୍ରକୁ ଆଗେଇନେଇଥିଲା ଯାହାକି ଆଜି ପର୍ଯ୍ୟନ୍ତ ଉଜ୍ଜୀବିତ ରହିଛି ବୋଲି କହିଥିଲେ । ସ୍ୱର୍ଗତ ପାତ୍ରଙ୍କ ଜୀବନୀ ଓ ରଚନା ବିଦ୍ୟାଳୟର ପାଠ୍ୟକ୍ରମରେ ସ୍ଥାନିତ ହେବା ଉଚିତ ବୋଲି ନିଜ ମତବ୍ୟକ୍ତ କରିଥିଲେ । ମୁଖ୍ୟ ବକ୍ତା ଭାବେ ନବରଙ୍ଗପୁର ପରିବାର ଅଦାଲତର ବିଚାରପତି ଡଃ ମୁନ ରାଣୀ ମିଶ୍ର ଯୋଗଦେଇ ଭାଗୀରଥିଙ୍କ ସାମଗ୍ରିକ କୃତି ସମ୍ବନ୍ଧରେ ଆଲୋଚନା କରିଥିଲେ । ଏକାଡେମୀ ସଦସ୍ୟ ବଲ୍ଲଭ କୁମାର ରାଉତ ଅଧକ୍ଷତା କରି ଭାଗୀରଥି ସାହିତ୍ୟର ଆଲୋଚନା କରିଥିଲେ । ସାହିତ୍ୟ ଏକାଡେମୀ କାର୍ଯ୍ୟକାରିଣୀ ସଦସ୍ୟ ତଥା ନବରଙ୍ଗପୁରର ଉପ-ଆରକ୍ଷୀ ଅଧିକ୍ଷକ ଚନ୍ଦ୍ର ଶେଖର ହୋତା ଓ ଅବସର ପ୍ରାପ୍ତ ପ୍ରାଧ୍ୟାପକ ଡଃ ବିଜୟ କୁମାର ମିଶ୍ର ସମ୍ମାନିତ ବକ୍ତା ଭାବେ ଯୋଗଦେଇ ଉପାନ୍ତ ଅବିଭକ୍ତ କୋରାପୁଟ ଅଞ୍ଚଳର ସୀମାନ୍ତର ପ୍ରହରୀ ଭାଗୀରଥି ପାତ୍ର ଥିଲେ ବୋଲି କହିବା ସହ ତାଙ୍କ ସାହିତ୍ୟର ରୋମାଣ୍ଟିକ ଦିଗ, ଭକ୍ତି ଚେତନା, ଆଦିବାସୀ ଜନ ଜୀବନର ଚିତ୍ର, ଲୌକିକ ଲୋକ ସଙ୍ଗୀତ ପରମ୍ପରା ବିଷୟରେ ଆଲୋକପାତ କରିଥିଲେ । ନବରଙ୍ଗପୁରର ବରିଷ୍ଠ ଦେୱାନୀ ବିଚାରପତି ଅନ୍ନପୂର୍ଣ୍ଣା ନାୟକ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଭାଗୀରଥିଙ୍କ ସାହିତ୍ୟରେ ପତିତ ଭାଷାର ବ୍ୟବହାର ସମ୍ବଦ୍ଧରେ ଆଲୋକପାତ କରିଥିଲେ ଓ ସେ’ ଆମ ସମାଜରେ ଥିବା ଗରିବ, ଅସହାୟ, ନିଷ୍ପେଷିତ ଲୋକଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ଲେଖନୀ ଚାଳନା କରିଥିଲେ ବୋଲି କହିଥିଲେ । ସମାଜସେବୀ ଜଗନ୍ନାଥ ମହାପାତ୍ର, ନାରାୟଣ ପାତ୍ର ଓ କବି ବିଜୟ ଚୌଧୁରୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ । ନବରଙ୍ଗପୁର ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ରଙ୍କ ଶୁଭେଚ୍ଛା ବାର୍ତ୍ତା କୁ ଗୋପାଳ କୃଷ୍ଣ ପାଣିଗ୍ରାହୀ ପାଠ କରିଥିଲେ । ଚଳିତ ବର୍ଷର ଭାଗୀରଥି ସମ୍ମାନ କବି, ଗାଳ୍ପିକ ତଥା ନାଟ୍ୟକାର ଅଶୋକ କୁମାର ପଟ୍ଟନାୟକଙ୍କୁ ପ୍ରଦାନ କରାଯାଇଥିଲା । ଆଇନଜୀବୀ କିଶୋରୀ ପଟ୍ଟନାୟକ ମାନପତ୍ର ପାଠ କରିଥିଲେ । ପ୍ରାରମ୍ଭରେ କବୟତ୍ରୀ ପ୍ରଭାତୀ ଦେବନାଥ ସ୍ୱାଗତ ଭାଷଣ ଓ ଆଇନଜୀବୀ ଶ୍ରୀନିବାସ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ନବରଙ୍ଗପୁର ଜିଲା ଅଦାଲତର ଅତିରିକ୍ତ ଜିଲ୍ଲା ଜଜ ପ୍ରଣତୀ ସାହା, ଅତିତିକ୍ତ ଜିଲ୍ଲା ଜଜ ଶିବ ପ୍ରସାଦ ମିଶ୍ର ଓ ରେଜିଷ୍ଟ୍ରାର ସୁକାନ୍ତ କିଶୋର ଜେନା ଯୋଗ ଦେଇଥିଲେ । ଭାଗୀରଥିଙ୍କ ପ୍ରତିକୃତିରେ ଅତିଥିମାନେ ପୁଷ୍ପମାଲ୍ୟ ଅର୍ପଣ କରିବାପରେ ସାଇ କେୟାର ଶିକ୍ଷାନୁଷ୍ଠାନର ଛାତ୍ରୀ ମାନେ ଉତ୍କଳ ବନ୍ଦନା ପରିବେଷଣ କରିଥିଲେ । ଟେଲି ନିର୍ଦ୍ଦେଶକ ମନୋଜ ପଟ୍ଟନାୟକ ଧନ୍ୟବାଦ ପ୍ରଦାନ କରିଥିଲେ । ସ୍ମୃତି ସଂସଦର ସମ୍ପାଦକ ରାମ ପ୍ରସାଦ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜା ଚୈତନ୍ୟ ଦେବ ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁପ୍ରିୟା ନାୟକ, ବୃନ୍ଦାବନପାଢୀ, ନମିତା ପାତ୍ର, ଧରିତ୍ରୀ ପଣ୍ଡା, କିଶୋର ପଟ୍ଟନାୟକ, ସୁବାଶ ଚନ୍ଦ୍ର ବିଶୋଈ, ପଦ୍ମାଳୟା ପାତ୍ର, ବର୍ଷା ପ୍ରିୟଦର୍ଶିନୀ ପଣ୍ଡା, ଅଖିଳ ଭଟ୍ଟ, ସାନୁଜ କୁମାର ପାତ୍ର, ଦୂର୍ଗା ପାଢୀ, ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ଗୋପାଳ ପାଣିଗ୍ରାହୀ, ପ୍ରଦୀପ ସାହୁ, ଶ୍ରୀନିବାସ ପାତ୍ର, ପି. ରବିକାନ୍ତ ରଘୁରାମ, ନନ୍ଦକିଶୋର ପାଢୀ, ସନ୍ଧ୍ୟା ରାଣୀପାତ୍ର, ଗଣେଶ୍ୱର ଦାଶ, ପ୍ରଭାକର ପାତ୍ର, ପ୍ରାଧ୍ୟାପିକା ସଂଗୀତା ତ୍ରିପାଠୀ, ଶିବ ଶଙ୍କର ତ୍ରିପାଠୀ ପ୍ରମୁଖ କବି ଓ ସାହିତ୍ୟ ପ୍ରେମୀ ଯୋଗ ଦେଇଥିଲେ ।

Comments (0)
Add Comment