ଚୁକ୍ତିଭିତ୍ତିକ ନିଯୁକ୍ତିକୁ ଉଚ୍ଛେଦ ଦାବି ନେଇ ଦାବିପତ୍ର ପ୍ରଦାନ ଓ ଦସ୍ତଖତ ଅଭିଯାନ

ବାଲିଗୁଡ଼ା : ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଅଧୀନରେ ଦାରିଙ୍ଗବାଡ଼ି ବ୍ଲକରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ କର୍ମଚାରୀ ମାନେ ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ଦାବି ନେଇ ବୁଧବାର ଦିନ ଦାରିଙ୍ଗବାଡ଼ିଠାରେ ଏକ ଦସ୍ତଖତ ଅଭିଯାନ କରିବା ସହ ଏହି ନିଯୁକ୍ତି ପ୍ରକ୍ରିୟାକୁ ଉଚ୍ଛେଦ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦାରିଙ୍ଗବାଡ଼ି ବିଡିଓ ଗଦାଧର ପାତ୍ରଙ୍କୁ ପ୍ରଦାନ କରିଛନ୍ତି । ରାଜ୍ୟସରକାରଙ୍କ ୬ବର୍ଷୀୟ ଚୁକ୍ତିଭିତ୍ତିକ ନିଯୁକ୍ତି ଦ୍ୱରା ଅନେକ କର୍ମଚାରୀ ନିଯୁକ୍ତିର ୬ବର୍ଷ ପରେ ମଧ୍ୟ ନିୟମିତ ହୋଇପାରୁନଥିବାସହ ୧୦ବର୍ଷ ଚାକିରୀ କରିବା ପରେ ସେମାନଙ୍କ ପଦୋନ୍ନତି ହେବା ନିୟମ ରହିଥିବା ବେଳେ ତାହା ମଧ୍ୟ ହୋଇ ପାରୁନାହିଁ । ଯାହାଫଳରେ ସେମାନେ ଆହୁରି ୧୦ବର୍ଷ କାର୍ଯ୍ୟ କରିବା ପରେ ସେମାନଙ୍କୁ ପଦୋନ୍ନତି ମିଳୁଅଛି । ଯାହାଦ୍ୱାରା ସେମାନେ ଚାକିରୀ ଆରମ୍ଭର ୬ବର୍ଷ କାର୍ଯ୍ୟ କରିବାର କୌଣସି ମୂଲ୍ୟ ସେମାନେ ପାଇ ପାରୁନାହାନ୍ତି । ତେଣୁ ଏହିଭଳି ଚୁକ୍ତିଭିତ୍ତିକ ନିଯୁକ୍ତିକୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରିବାକୁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି । ଦାବିପତ୍ର ପ୍ରଦାନ ସମୟରେ ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘର ବ୍ଲକ ସଭାପତି ଶୁଭଲଷ୍ମୀ ବେଜ୍‌,ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘର ଜିଲ୍ଲା ସମ୍ପାଦକ କ୍ଷୀତିଶ ପ୍ରିୟଦର୍ଶୀ ସାହୁ,ଦାରିଙ୍ଗବାଡି ବ୍ଲକ୍‌ କନିଷ୍ଠ ଶିକ୍ଷକ ସଂଘ ସଭାପତି ନିତେନ କୁମାର ସାହୁ, ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବୁରୁ ମାଝୀ ପଡ୍ରାଙ୍କ ସମେତ ସମନ୍ୱିତ ଶିଶୁ ବିଭାଗ, ସାମାଜିକ ମଙ୍ଗଳ ବିଭାଗ ଓ ଶିକ୍ଷା ବିଭାଗର ବହୁ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ ।

Comments (0)
Add Comment