ବାଲିଗୁଡ଼ା : ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣ ବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଆମ୍ବଖାଲିଆ ଘାଟି ନିକଟରେ ମାଡି ବସିଲା ଦାରିଙ୍ଗବାଡ଼ି ପୋଲିସ । ଉତ୍ତରପ୍ରଦେଶର ଏକ ଟ୍ରକରୁ ୨୦୩କିଲୋ ୪୦୦ ଗ୍ରାମ୍ ଗଞ୍ଜେଇ ଜବତ କରିବା ସହ ଦୁଇଜଣ ଚାଲାଣକାରୀଙ୍କୁ ଗିରଫ କରିଛି ଦାରିଙ୍ଗବାଡି ପୋଲିସ୍ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୦ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ସୂଚନା ମିଳିଛି । ଗିରଫ ଅଭିଯୁକ୍ତ ୨ଜଣ ଉତ୍ତରପ୍ରଦେଶ କୌଶମ୍ଭି ଜିଲ୍ଲା ଠୁଗଲା ଅଞ୍ଚଳର ସାରୁଖ ଖାନ ଓ ଫତେପୁର ଜିଲ୍ଲା ଭୀମପୁର ଅଞ୍ଚଳର ଅଜୟ କୁମାର । ଦାରିଙ୍ଗବାଡ଼ି ଥାନା ଅଧିକାରୀଙ୍କ ସୂଚନା ପ୍ରକାରେ ବାଲିଗୁଡ଼ା ଅଞ୍ଚଳରୁ ଦାରିଙ୍ଗବାଡ଼ି ଦେଇ ଉତ୍ତରପ୍ରଦେଶକୁ ଅତି ଚତୁରତାର ସହ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଥାନା ଅଧିକାରୀ କୌଶିକ ମାଝୀ ଖବର ପାଇବା ପରେ ନିଜ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିବା ସହ ହିଲଭିୟୁ ପାର୍କ ନିକଟ ଆମ୍ବ ଖାଲିଆ ବୁଲାଣିରେ ଛପି ରହିଥିଲେ । ବାଲିଗୁଡା ପଟୁ ଏକ ଟ୍ରକ ନମ୍ବର (UP73A3627)ଦ୍ରୁତ ଗତିରେ ଆସୁଥିବା ବେଳେ ପୋଲିସ ସମ୍ପୃକ୍ତ ଟ୍ରକକୁ ଯାଞ୍ଚ୍ କରିବା ସମୟରେ ଟ୍ରକରେ ଅତି ଚତୁରତାର ସହ ଗଞ୍ଜେଇ ଭର୍ତ୍ତି ବସ୍ତା ଲୁଚାଇ ରଖାଯାଇଥିବା ଦେଖିବାକୁ ମିଳିଥିଲା । ଏହାପରେ ଗଞ୍ଜେଇ ସହିତ ଟ୍ରକକୁ ଜବତ କରିବା ସହ ବେଆଇନ୍ ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ଦାରିଙ୍ଗବାଡି ଥାନା କେସ୍ ନମ୍ବର ୧୦୦/୨୨ରେ ଏକ ମାମଲା ରୁଜୁ କରି ଟ୍ରକରେ ଥିବା ଉତ୍ତରପ୍ରଦେଶର ୨ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଦାରିଙ୍ଗବାଡି ପୋଲିସ୍ । ଅନ୍ୟପଟେ ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ କୌଶିକ ମାଝୀ ।