ନିଜେ ପଢ଼ିଥିବା ସ୍କୁଲରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର: ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ରାଜଧାନୀର ଦୁଇଟି ବିଦ୍ୟାଳୟରେ କିଛି ସମୟ ବିତାଇଛନ୍ତି। ପ୍ରଥମେ ସେ ଖଣ୍ଡଗିରିସ୍ଥିତ ତପୋବନ ଉଚ୍ଚ ବିଦ୍ୟାଳୟକୁ ଗସ୍ତ କରିଥିଲେ। ସେଠାରେ ପ୍ରାୟ ୧୫ ମିନିଟ୍ ଧରି ରହିବା ପରେ ସେଠାରେ ଥିବା ଏକ ହଲରେ ଛାତ୍ରଛାତ୍ରୀଙ୍କୁ ଭେଟିଥିଲେ। ସାକ୍ଷାତ ସମୟରେ ଛାତ୍ରଛାତ୍ରୀ ହାତ ତିଆରି ଏକ ପେଣ୍ଟିଂକୁ ରାଷ୍ଟ୍ରପତିଙ୍କୁ ପ୍ରଦାନ କରିଛନ୍ତି।
ଏହାପରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ୟୁନିଟ-୨ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ କିଛି ସମୟ ପାଇଁ ରହିଥିଲେ। ସେଠାରେ ସେ ୧୯୭୦ରୁ ୧୯୭୪ ପର୍ଯ୍ୟନ୍ତ ୮ମରୁ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ଗ୍ରହଣ କରିଥିଲେ। ଏହି ସମୟରେ ସେ କୁନ୍ତଳା କୁମାରୀ ସାବତ ଆଦିବାସୀ ଛାତ୍ରୀନିବାସରେ ରହିଥିଲେ। ପ୍ରଥମ ଓଡ଼ିଶା ଗସ୍ତ ଅବସରରେ ରାଷ୍ଟ୍ରପତିଙ୍କ ପାଦ ନିଜେ ପଢ଼ୁଥିବା ସ୍କୁଲରେ ପଡ଼ିଛି। ଗସ୍ତ ଅବସରରେ ସେ ନିଜର ୧୩ଜଣ ସହପାଠିନୀଙ୍କୁ ଭେଟିଥିବା ଜଣାଯାଇଛି। ୟୁନିଟ-୨ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ସହପାଠିନୀମାନେ ରାଷ୍ଟ୍ରପତିଙ୍କୁ ଭେଟି ଖୁବ୍ ଆନନ୍ଦିତ ଥିବା କହିଛନ୍ତି। ଏହି ଅବସରରେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ବୃକ୍ଷରୋପଣ କରିଛନ୍ତି। ଖାଲି ସେତିକି ନୁହେଁ, ସେ ହଷ୍ଟେଲରେ ରହୁଥିବା ବିର୍ସାମୁଣ୍ଡା ଓ ତୁଳସୀ ମୁଣ୍ଡା ବ୍ଲକ୍କୁ ଯାଇଥିଲେ। ଛାତ୍ରୀନିବାସ ପରିଦର୍ଶନ କରି ଯେଉଁ ଖଟ ବ୍ୟବହାର କରୁଥିଲେ ସେଥିରେ କିଛି ସମୟ ବସିଥିଲେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ।

Comments (0)
Add Comment