ବର୍ଦ୍ଧିତ ନାମଲେଖା ଫିଜ ପ୍ରତ୍ୟାହାର ଦାବି, ଛାତ୍ରଛାତ୍ରୀଙ୍କ ଧାରଣା ପ୍ରତ୍ୟାହୃତ

ବୌଦ୍ଧ : ବୌଦ୍ଧ ପଞ୍ଚାୟତ କଲେଜ୍‌ ଛାତ୍ରଛାତ୍ରୀ ମାନେ ବର୍ଦ୍ଧିତ ନାମଲେଖା ଫିଜକୁ ପ୍ରତ୍ୟାହାର ଦାବିରେ ଆଜି କଲେଜ୍‌ ମୁଖ୍ୟ ଫାଟକ ଆଗରେ ଦେଇଥିବା ଧାରଣା ଜିଲ୍ଲାପାଳଙ୍କ ଆଲୋଚନା ପାଇଁ ପ୍ରସ୍ତାବ ଦେବା ପରେ ପ୍ରତ୍ୟାହୃତ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ଦିନ ୧୦ ଘଣ୍ଟା ସମୟଠାରୁ ବୌଦ୍ଧ ପଞ୍ଚାୟତ କଲେଜର ଛାତ୍ରଛାତ୍ରୀମାନେ ବର୍ଦ୍ଧିତ ନାମଲେଖା ଫିଜକୁ ପ୍ରତ୍ୟାହାର ଦାବିରେ ଶ୍ରେଣୀ ବର୍ଜନ କରି ମୁଖ୍ୟ ଫାଟକ ଆଗରେ ଧାରଣାରେ ବସିଥିଲେ । ଆଜି ଗୁଡଭେଲିପଦର୍‌ଠାରେ ହେବାକୁ ଥିବା ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିରକୁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ସେହି ରାସ୍ତାରେ ଯାଉଥିବା ବେଳେ କଲେଜ୍‌ ସାମ୍ନାରେ ଗାଡିରୁ ଓହ୍ଲଇ ଆଜି ସନ୍ଧ୍ୟା ୫ ଘଣ୍ଟା ସମୟରେ ଛାତ୍ରଛାତ୍ରୀଙ୍କ ପ୍ରତିନିଧି ମାନେ ତାଙ୍କ କାର୍ଯ୍ୟାଳୟକୁ ଆସନ୍ତୁ ଓ ତାଙ୍କ ସହ ଆଲୋଚନା କରନ୍ତୁ ବୋଲି ପ୍ରସ୍ତାବ ଦେଇଥିଲେ । ଜିଲ୍ଲାପାଳ ଛାତ୍ରଛାତ୍ରୀଙ୍କୁ ଧାରଣାରୁ ଉଠି ଆଲୋଚନାକୁ ଆସିବା ପାଇଁ କହି ଗୁଡଭେଲିପଦର୍‌ ଅଭିମୁଖେ ଚାଲିଯିବା ପରେ ବୌଦ୍ଧ ପୋଲିସ୍‌ ଛାତ୍ରଛାତ୍ରୀଙ୍କୁ କଲେଜ୍‌ ଫାଟକ ନିକଟରୁ ବୁଝାଇ ସୁଝାଇ ଉଠାଇଥିଲା । ଜିଲ୍ଲାପାଳ ଅପରାହ୍ନରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିରରୁ ଫେରିବା ପରେ ସନ୍ଧ୍ୟା ୫ ଘଣ୍ଟା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପ୍ରତିନିଧି ମାନଙ୍କ ସହ ଆଲୋଚନା ପରେ ବର୍ଦ୍ଧିତ ପରୀକ୍ଷା ଫିଜ ସମ୍ପର୍କରେ ନିଷ୍ପତ୍ତି ନେବେ ବୋଲି ଆଶା କରାଯାଉଛି ।

Comments (0)
Add Comment