କେନ୍ଦୁଝରର ସମସ୍ତ ବ୍ଲକରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଦାନ କରାଗଲା ‘ସୁଭଦ୍ରା’ର ପ୍ରଥମ କିସ୍ତି

କେନ୍ଦୁଝର: ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ସରକାରଙ୍କ ବହୁ ଆକାଂକ୍ଷିତ ମହିଳାଙ୍କ କଲ୍ୟାଣ ଲାଗି ଉଦ୍ଦିଷ୍ଟ ଯୋଜନା ‘ସୁଭଦ୍ରା’ ର ଶୁଭାରମ୍ଭ କରିଛନ୍ତି ।ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସୁଇଚ ଟିପି ରାଜ୍ୟର ୨୫ ଲକ୍ଷ ୧୧ ଜଣ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏହି ଯୋଜନାର ପ୍ରଥମ କିସ୍ତିର ରାଶି ପ୍ରଦାନ କରିଥିଲେ ।
ଏହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲ୍ଲାର ସମସ୍ତ ୧୩ ଗୋଟି ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା ।ହିତାଧିକାରୀ ମାନଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହେଇଥିଲା ।ଏହି ଯୋଜନାର ଶୁଭାରମ୍ଭ ଅବସରରେ ସବୁ ଆଡେ ଖୁସିର ପରିବେଶ ସୃଷ୍ଟି ହୋଇଛି ।
କେନ୍ଦୁଝର ପାଇଁ ଉଲ୍ଲେଖନୀୟ ଘଟଣା ହିସାବରେ ଏହି ଯୋଜନାର ଶୁଭାରମ୍ଭ ତେଲକୋଇ ଅଞ୍ଚଳର ଝିଅ ଅଞ୍ଜଳି ବାରିକଙ୍କ ପାଖରୁ ଆରମ୍ଭ ହୋଇଥିଲା । ଭୁବନେଶ୍ୱର ଜନତା ମୈଦାନଠାରେ ଆୟୋଜିତ ରାଜ୍ୟସ୍ତରୀୟ ସୁଭଦ୍ରା ଯୋଜନା ଶୁଭାରମ୍ଭ ସମାରୋହର ପ୍ରଥମ ଲାଭାର୍ଥି ହିସାବରେ ହୁଇଲ ଚେୟାରରେ ଆସି ଭଉଣୀ ଅଞ୍ଜଳି ମାନନନୀୟ ପ୍ରଧାନମନ୍ତ୍ରୀଙ୍କ ହାତରୁ ପ୍ରଥମ କିସ୍ତିର ରାଶି ଗ୍ରହଣ କରିଥିଲେ ।
କେନ୍ଦୁଝର ସଦର ବ୍ଲକ ତରଫରୁ ନରଣପୁରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଵିଶାଲ ସିଂହ ଯୋଗ ଦେଇ ସୁଭଦ୍ରା ହିତାଧିକାରୀ ମହିଳା ମାନଙ୍କୁ ଯୋଜନାର ପ୍ରଥମ କିସ୍ତି ସହାୟତା ରାଶିର ପ୍ରତୀକାତ୍ମକ ଚେକ ପ୍ରଦାନ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଧନୁର୍ଜୟ ମହାନ୍ତ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ କୁମାର ନାଗଭୁଷଣ, କେନ୍ଦୁଝର ସଦର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ତିଳତ୍ତମା ପୃଷ୍ଟି, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ମିତା ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।
ସମବେତ ସହସ୍ରାଧିକ ମହିଳା ମାନେ ଅତିଥିଙ୍କ ସହ ମିଶି ରାଜ୍ୟସ୍ତରୀୟ ସୁଭଦ୍ରା ଶୁଭାରମ୍ଭ ସମାରୋହର ସିଧାପ୍ରସାରଣ ଦେଖିଥିଲେ ।
ସୂଚନାଯୋଗ୍ୟ ମହିଳାଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବାକୁ ଲକ୍ଷ୍ୟ ରଖି ଆରମ୍ଭ କରାଯାଇଥିବା ଏହି ସର୍ବବୃହତ ମହିଳା କେନ୍ଦ୍ରିକ ଯୋଜନାର ଆବେଦନ ଏକ ନିରନ୍ତର ପ୍ରକ୍ରିୟା । ପ୍ରତିବର୍ଷ ଯୋଗ୍ୟ ଆବେଦନକାରୀଙ୍କୁ ଯଥାକ୍ରମେ ଆନ୍ତର୍ଜାତୀୟ ମହିଳା ଦିବସ ଓ ରାକ୍ଷୀ ପୂର୍ଣ୍ଣିମାରେ ୫ ହଜାର ଟଙ୍କା ଲେଖାଏଁ ବର୍ଷକୁ ୧୦ ହଜାର କରି ୫ ବର୍ଷରେ ମୋଟ ୫୦ ହଜାର ଟଙ୍କା ପ୍ରଦାନ କରାଯିବ ।

Comments (0)
Add Comment