କୋକସରା : ଆଜି ହେଉଛି କାଳିଆ ଠାକୁରଙ୍କ ବାହୁଡ଼ା ଯାତ୍ରା । ଏଠି କିନ୍ତୁ ନିଆରା ଢଙ୍ଗରେ ପାଳିତ ହୁଏ ରଥଯାତ୍ରା । ଗ୍ରାମ୍ୟ ଦେବାଦେବୀଙ୍କ ଲାଠି, କୁର୍ସୀ ଓ କାଳିଶୀ ଗହଣରେ ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିରକୁ ବାହୁଡନ୍ତି ଶ୍ରୀଜୀଉ । ଏପରି ଏକ ନିଆରା ପରମ୍ପରା ଦେଖିବାକୁ ମିଳେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ ଗୋତମୁଣ୍ଡା ଗାଁରେ । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ର ଆଦିବାସୀ ଅଧ୍ୟୂଷିତ ଗୋତମୁଣ୍ଡା ଗ୍ରାମର ବାହୁଡା ଯାତ୍ରା ଭିନ୍ନ ପରମ୍ପରା ଯୋଗୁଁ ସାରା ଓଡ଼ିଶାରେ ନିଜର ସ୍ୱତନ୍ତ୍ରତା ପ୍ରତିପାଦନ କରିଥାଏ । କଳାହାଣ୍ଡି ନାଗବଂଶୀ ମହାରାଜ ବ୍ରଜମୋହନ ଦେଓଙ୍କ ଶାସନକାଳ ୧୯୧୮ ମସିହାରୁ ଗୋତୋମୁଣ୍ଡାରେ ପାଳିତ ହେଉଛି ରଥଯାତ୍ରା । ବାହୁଡ଼ା ଯାତ୍ରା ଦିନ ରଥକୁ ଦେବାଦେବୀଙ୍କ ଲାଠି, କାଳିଶୀ ଟାଣିବା ଏଠାକାର ଏକ ନିଆରା ପରମ୍ପରା । ଗୋତମୁଣ୍ଡା ଓ ପାଖାପାଖି ଗ୍ରାମ ଗୁଡିକର ଦେବାଦେବୀଙ୍କ ଲାଠି, କୁର୍ଷି, କାଳିଶୀ ସାମିଲ ହୋଇ ଶ୍ରୀଜୀଉଙ୍କର ରଥ ଟାଣିଥାନ୍ତି । ଏଭଳି ପ୍ରଥା ଅନୁସାରେ ଗୋତମୁଣ୍ଡା ଠାରେ ପ୍ରତି ବର୍ଷ ବାହୁଡା ଯାତ୍ରା ହେଉଥିବାରୁ ସୀମାନ୍ତ ଛତିଶଗଡ ରାଜ୍ୟ, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଭକ୍ତ ଓ ଦର୍ଶକଙ୍କ ସମାଗମ ହୋଇଥାଏ ।
ସୂଚନା ଅନୁସାରେ, ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ପାଦଦେଶରେ ରହିଛି ଗୋତମୁଣ୍ଡା ଗ୍ରାମ । କୁହାଯାଏ ୧୯୧୮ ମସିହାରେ ଗୋତମୁଣ୍ଡା ଗାଁର ତତ୍କାଳୀନ ଗୌନ୍ତିଆ ଭିମା ପୁଝାରୀ ଗାଁରେ ନ ଥିବା ସମୟରେ ବୈରାଗୀ ସଂପ୍ରଦାୟର ଜଣେ ବ୍ୟକ୍ତି ଜଗନ୍ନାଥଙ୍କ ବିଗ୍ରହକୁ ଧରି ଗୋତମୁଣ୍ଡା ଆସି ପୂଜା କରିବା ପାଇଁ ଅନୁରୋଧ କରିଥିଲେ । ହେଲେ ଗୌନ୍ତିଆ ନ ଥିବାରୁ ପୂଜା କରିବା ପାଇଁ ମନା କରିଦେଇଥିଲେ । ଯାହା ଫଳରେ ସମ୍ପୃକ୍ତ ବୈରାଗୀ ବ୍ୟକ୍ତି ଜଣକ ଜଗନ୍ନାଥଙ୍କୁ ନେଇ ଅନ୍ୟତ୍ର ଚାଲିଯାଇଥିଲେ । ପରେ ଗୌନ୍ତିଆ ଶ୍ରୀପୁଝାରୀ ଗାଁକୁ ଫେରିବା ପରେ ଗ୍ରାମବାସୀ ଘଟଣା ସମ୍ପର୍କରେ ତାଙ୍କୁ ଜଣାଇଥିଲେ । ତା, ପରଦିନ ଗୋନ୍ତିଆ ସଂପୃକ୍ତ ବୈରାଗି ବ୍ୟକ୍ତିଙ୍କୁ ଖୋଜାଖୋଜି ଛତିଶଗଡ ରାଜ୍ୟ ବରିଗାଁରେ ଠାବ କରିଥିଲେ । ପରେ ଗୌନ୍ତିଆଙ୍କ ଆଦେଶ କ୍ରମେ ସଂପୃକ୍ତ ବ୍ୟକ୍ତିକୁ ଗୋତମୁଣ୍ଡା ଆସିବା ପାଇଁ ଅନୁରୋଧ କରିଥିଲେ । ବୈରାଗୀ ବ୍ୟକ୍ତି ଜଣକ ଗୋତମୁଣ୍ଡା ପହଞ୍ଚି ଗୌନ୍ତିଆଙ୍କୁ ସାକ୍ଷାତ କରି ବିଗ୍ରହ ସ୍ଥାପନ କରି ପୂଜା କରିବା ପାଇଁ ଅନୁରୋଧ କରିଥିଲେ । ଏହି ସମୟରେ ଜଗନ୍ନାଥଙ୍କ ଘୋଷଯାତ୍ରା କାର୍ଯ୍ୟକ୍ରମ ସରିଯାଇ ଥିବାବେଳେ ବାହୁଡା ଯାତ୍ର ହୋଇ ନ ଥିଲା । ତେଣୁ ଗୋତମୁଣ୍ଡା ଗୌନ୍ତିଆ ବାହୁଡା ଦିନ ମହାପ୍ରଭୂଙ୍କ ବିଗ୍ରହ ଆଣିବା ପାଇଁ ଅନୁମତି ଦେଇଥିଲେ । ବାହୁଡା ଦିନ ବୈରାଗୀ ବ୍ୟକ୍ତି ଜଗନ୍ନାଥଙ୍କ ବିଗ୍ରହକୁ ଧରି ଗୋତମୁଣ୍ଡା ପହଞ୍ଚିଥିଲେ । ଏହି ସମୟରେ ଗୋତମୁଣ୍ଡା ଗ୍ରାମରେ ମଣ୍ଡେଇ ଯାତ୍ରା ଜାରି ରହିଥିଲା । ଗୋତମୁଣ୍ଡା ଗୌନ୍ତିଆ ମା’ ସର୍ବ ମଙ୍ଗଳା ଘାଟିମୁଣ୍ଡିଆଣୀ ଦେବୀଙ୍କ ନିମନ୍ତ୍ରଣ କ୍ରମେ ମଣ୍ଡେଇରେ ସାମିଲ ହୋଇଥିବା ଆଖପାଖ ଅଞ୍ଚଳର ସମସ୍ତ ଦେବଦେବୀଙ୍କ ଲାଠି, କାଳିଶି ଓ ଦେବୀ ବାଜା ବଜାଇ ଜଗନ୍ନାଥ ମହାପ୍ରଭୁକୁ ସ୍ୱାଗତ କରି ଗ୍ରାମକୁ ପାଛୋଟି ନେଇଥିଲେ । ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ଉକ୍ତ ପରମ୍ପରାରେ ବାହୁଡା ଯାତ୍ରା ହୋଇ ଆସୁଛି ବୋଲି ଗୋତମୁଣ୍ଡା ଗ୍ରାମବାସୀ ପ୍ରକାଶ କରିନ୍ତି ।