ଅବ୍ୟବସ୍ଥାରେ ବାଲିଗୁଡ଼ା ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ

ବାଲିଗୁଡ଼ା: ଅବ୍ୟବସ୍ଥାରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ । ସହର ଦେଇ ଯାଇଥିବା ୫୯ ନଂ ଜାତୀୟ ରାଜପଥ କଡ଼ରେ ଆଦିବାସୀ ମହାବିଦ୍ୟାଳୟ ସମ୍ମୁଖରେ ଥିବା ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଲୟ ରହିଛି । କିନ୍ତୁ ଦୀର୍ଘ ବର୍ଷ ହେବ ଅବହେଳିତ ହୋଇ ପଡ଼ିରହିଛି ଏହି କାର୍ଯ୍ୟାଳୟ । କାର୍ଯ୍ୟାଳୟଟି ରାସ୍ତାରୁ ପ୍ରାୟ ୩୦ଫୁଟ ଉଚ୍ଚ଼ ଏକ ଡିପ ସ୍ଥାନରେ ଥିବା ବେଳେ କାର୍ଯ୍ୟାଳୟକୁ ଯିବା ପାଇଁ ଏଯାବତ୍‌ ରାସ୍ତାଟିଏ ହୋଇପାରିନାହିଁ । ଫଳରେ ଏଠାରେ ଥିବା ପାଠାଗାରକୁ ଦୈନନ୍ଦିନ ଆସୁଥିବା ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ବିପଦପୂର୍ଣ୍ଣ ଅବସ୍ଥାରେ ଯିବାଆସିବା କରୁଥିବା ଦେଖିବାକୁ ମିଳୁଛି । କାର୍ଯ୍ୟାଳୟ ସମ୍ମୁଖରେ ଆଦିବାସୀ ମହାବିଦ୍ୟାଳୟ ଅଛି, କିନ୍ତୁ ଛାତ୍ରଛାତ୍ରୀମାନେ ଏହି ପାଠାଗାରକୁ ଯିବା ପାଇଁ ଇଚ୍ଛା ପ୍ରକାଶ କରୁନାହାନ୍ତି । ପାଠାଗାରରେ ପାଠକ ମାନଙ୍କ ପାଇଁ ଶୌଚାଳୟର ବ୍ୟବସ୍ଥା ମଧ୍ୟ କରାଯାଇନାହିଁ । କାର୍ଯ୍ୟାଳୟ ନିକଟରେ ଏକ ପରିତ୍ୟକ୍ତ ଲାଟିନ୍‌ ଟାଙ୍କି ଖୋଲା ଅବସ୍ଥାରେ ଥିବା ଦେଖିବାକୁ ମିଳିଛି । ଯେକୌଣସି ସମୟରେ ମଧ୍ୟ କିଛି ଅଘଟଣ ଘଟିବା କଥା ମଧ୍ୟ ଏଡ଼ାଇ ଦିଆଯାଇନପାରେ । ସେପଟେ କାର୍ଯ୍ୟାଳୟ ସମ୍ମୁଖ ଓ କଡ଼ରେ ଗଛ,ଲଟାବୁଦା ଭରିରହିବା ସହ ରାସ୍ତା କଡ଼ରେ ମଦ ବୋତଲ ଗୁଡ଼ିକ ମଧ୍ୟ ପଡ଼ିରହିଥିବା ଦେଖିବାକୁ ମିଳିଛି । ରାତି ହେଲେ ଏକ ପ୍ରକାର ମଦ୍ୟପ ମାନଙ୍କ ଆଡ୍ଡାସ୍ଥଳୀ ପାଲୁଟୁଛି କାର୍ଯ୍ୟାଳୟ ପରିସର । ଗୋଟିଏ ପଟେ ରାସ୍ତା ନଥିବା ବେଳେ କାର୍ଯ୍ୟାଳୟ ଚାରିପଟେ ପାଚେରୀ ନଥିବା ସହ ଆଲୋକୀକରଣର ବ୍ୟବସ୍ଥା ନଥିବାରୁ ଯୋଗୁଁ ଏଭଳି ଘଟଣା ଘଟୁଥିବା ବୁଦ୍ଧିଜୀବୀ ମାନେ ମତପ୍ରକାଶ କରିଛନ୍ତି । ଏଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ଯଥାଶୀଘ୍ର ସମସ୍ୟାର ସମାଧାନ କରିବା ପାଇଁ ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ଓ ଜନସାଧାରଣ ଦାବି କରିଛନ୍ତି ।

Comments (0)
Add Comment