ପାଟିମାଲ ଗାଁରେ ଅଭାବନୀୟ ଘଟଣା ;
ବିଷ ପିଇ ଗୋଟିଏ ପରିବାରର ଦୁଇଜଣ ମୃତ୍ୟୁ, ଜଣେ ଗୁରୁତର

ପାଟଣାଗଡ଼ : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ଥାନା ଧଣ୍ଡାମୁଣ୍ଡା ପଞ୍ଚାୟତ ପାଟିମାଲ ଗାଁରେ ମଙ୍ଗଳବାର ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ବିଷ ପାନ କରି ଗୋଟିଏ ପରିବାରର ମାଆ ଝିଅର ମୃତ୍ୟୁ ହୋଇଥିବା ବେଳେ ଗୋଟିଏ ଶିଶୁ ଗୁରୁତର ହୋଇ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାଯାଇଛି । ମୃତକମାନେ ହେଲେ ମା କଳାବତୀ ସାହୁ (୭୦) ଓ ଝିଅ ସନ୍ତୋସିନୀ ସାହୁ (୪୦) । ଗୁରୁତର ଶିଶୁ ପୁତ୍ର (୬) ବୋଲି ଜଣାଯାଇଛି । ସୂଚନା ଅନୁସାରେ ପାଟିମାଲ ଗାଁର ସନ୍ତୋସିନୀ ସାହୁ ବିଧବା ହେଲା ପରେ ଚାରି ଛୋଟ ଛୁଆକୁ ଧରି ନିଜ ବାପ ଘରେ ରହୁଥିଲେ । ଘରେ ବୃଦ୍ଧା ମାଆ କଳାବତୀ ସାହୁ ସାଙ୍ଗରେ ରହୁଥିବା ବେଳେ ତିନି ଶିଶୁ ବଲାଙ୍ଗିରର ଏକ ଆଶ୍ରମରେ ରହି ପାଠ ପଢ଼ୁଥିବା ବେଳେ ଛୋଟ ଶିଶୁ ପୁଅ (୬) ଙ୍କ ସହ ଉଭୟ ମାଆ ଝିଅ ରହୁଥିଲେ । ହେଲେ କୌଣସି କାରଣରୁ ମାଆ ଝିଅ ବିଷ ପାନ କରି ଆତ୍ମହତ୍ୟା କରିଥିବା ବେଳେ ଛୋଟ ଶିଶୁକୁ ମଧ୍ୟ ବିଷ ପିଆଇ ଦେଇଥିବା ଅନୁମାନ କରାଯାଉଛି । ଅପରାହ୍ନରେ ଶିଶୁଟି କାନ୍ଦ ବୋବାଲି ଛାଡିଲା ପରେ ପଡୋଶୀ ତଥା ସ୍ଥାନୀୟ ଲୋକ ଘଟଣା ସମ୍ପର୍କରେ ସୂଚନା ପାଇଥିଲେ । ପରେ ୱାର୍ଡ ମେମ୍ବର ଓ ସରପଞ୍ଚ ଖପ୍ରାଖୋଲ ପୋଲିସକୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ । ଖପ୍ରାଖୋଲ ପୋଲିସ ଏସଆଇ ଜୟ ଶଙ୍କର ଆଚାର୍ଯ୍ୟ ସଦଳେ ବଳେ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିଥିଲେ । ଏହି ଅବସରରେ ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ସରପଞ୍ଚ ବୈଦ୍ୟନାଥ ମିଶ୍ର, ୱାର୍ଡ ମେମ୍ବର ଖଗେଶ୍ୱର ପୁଟେଲ, ମନ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ । ଏ ନେଇ ଖପ୍ରାଖୋଲ ଥାନା କେଶ ନମ୍ବର ୮/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବାବେଳେ ପ୍ରାଥମିକ ତଦନ୍ତରେ ବିଷ ପାନ କରି ଆତ୍ମହତ୍ୟା କରିଥିବା ପୋଲସ ଏସଆଇ ଜୟ ଶଙ୍କର ଆଚାର୍ଯ୍ୟ ପ୍ରକାଶ କରିଛନ୍ତି । କେଉଁ କାରଣରୁ ପରିବାରର ତିନି ଜଣ ବିଷପାନ କଲେ ତାହା ତଦନ୍ତ ପରେ ଜଣାପଡିବ ବୋଲି ପୋଲିସ କହିଛି ।

Comments (0)
Add Comment