ଦଶପଲ୍ଲା : ନୟାଗଡ଼ ଜିଲ୍ଲାର ପ୍ରବାଦ ପୁରୁଷ ତଥା ପାଠାଗାର ଆନ୍ଦୋଳନର ସ୍ରଷ୍ଟା, ପ୍ରତିଷ୍ଠିତ ସଂଗ୍ରାହକ ଦାଶରଥି ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ନୟାଗଡ଼ କଚେରୀ ବଜାରଠାରେ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାପନ କରାଯାଇଥିଲା । ସ୍ଥାପନର ମାତ୍ର ୫ ବର୍ଷ ପରେ ମୂର୍ତ୍ତିରୁ ରଙ୍ଗ ଛାଡ଼ି ମୂର୍ତ୍ତି ବିକୃତ ହୋଇଗଲାଣି । ମଞ୍ଚରୁ ପଥର ଖସି ଗଲାଣି, କେତେବେଳେ ଯେ ଭୁଶୁଡ଼ି ପଡ଼ିବ ତାହା କହିହେବ ନାହିଁ । ଜିଲ୍ଲାର ଜିଲ୍ଲାପାଳ ହେଉଛନ୍ତି ଦାଶରଥି ପଟ୍ଟନାୟକ ଲାଇବ୍ରେରୀ ଟ୍ରଷ୍ଟର ଅଧ୍ୟକ୍ଷ । ମାତ୍ର ଜିଲ୍ଲାପାଳଙ୍କ ଦାୟିତ୍ୱହୀନତା ପାଇଁ ମୂର୍ତ୍ତି ବିକୃତ ହୋଇଯାଇଥିବା କୁହାଯାଉଛି ।
ଅନ୍ୟପଟେ ନୟାଗଡ଼ ଜିଲ୍ଲାପାଳ ଡା. ପୋମା ଟୁଡୁ ଏହି ରାସ୍ତା ଦେଇ କାର୍ଯ୍ୟାଳୟକୁ ଯାଇଥାନ୍ତି । କିନ୍ତୁ ଜିଲ୍ଲାପାଳଙ୍କ ଦୃଷ୍ଟି କିପରି ପଡୁନାହିଁ ବୋଲି ସାଧାରଣରେ ଆଲୋଚନା ହେଉଛି । ଆସନ୍ତା ସେପ୍ଟେମ୍ବର ୧୨ ହେଉଛି ଦାସିଆ ଅଜାଙ୍କ ପୂଣ୍ୟ ଜନ୍ମତିଥି । ଜନ୍ମତିଥି ପୂର୍ବରୁ ପ୍ରତିମୂର୍ତ୍ତିରେ ରଙ୍ଗ ପ୍ରଲେପନ କରିବା ପାଇଁ ଦାବି କରାଯାଇଛି । ରାଜ୍ୟ ସଂସ୍କୃତି ବିଭାଗ ସଚିବଙ୍କ ଉଦ୍ଦେଶ୍ୟରେ ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ ବିଧାନଚନ୍ଦ୍ର ରାୟଙ୍କୁ ଦାଶରଥି ପଟ୍ଟନାୟକ ସ୍ମୃତି ସଂସଦ ସଭାପତି ପ୍ରମୋଦ ପଟ୍ଟନାୟକ ଏବଂ ଆଇନଜୀବି ରଣଜିତ ଦାଶ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।