ବାଲିଗୁଡ଼ା: ହକି ବିଶ୍ୱ କପ୍ ଅବସରରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ସାରାରାଜ୍ୟରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କନ୍ଧମାଳ ଜିଲ୍ଲାରେ ମଧ୍ୟ ଚଳିତ ମାସ ୧୨ ତାରିଖରୁ ଫୁଲବାଣୀ କରୋନେସନ୍ ପଡ଼ିଆ ଠାରେ ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିପାଇଁ ବାଲିଗୁଡ଼ା ବ୍ଲକରେ ପଞ୍ଚାୟତ ସ୍ତରରୁ ଖେଳାଳି ଚୟନ ପ୍ରକିୟା ଆରମ୍ଭ ହୋଇଥିଲା । ପ୍ରଥମେ ଚଳିତ ମାସ ୧୦ ଓ ୧୧ ତାରିଖ ଦୁଇଦିନ ସ୍ଥାନୀୟ ବିଜୁପଟ୍ଟନାୟକ ମିନି ଷ୍ଟାଡିୟମରେ ବ୍ଲକ୍ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସେଥିମଧ୍ୟରୁ ବଛାବଛା ଖେଳାଳିଙ୍କୁ ଚୟନ କରି ଟିମ୍ ଗଠନ କରି ବ୍ଲକ୍ସ୍ତରରୁ ଜିଲ୍ଲାକୁ ପଠାଯାଇଥିଲା । ବାଲିଗୁଡ଼ା ବ୍ଲକ୍ରୁ କବାଡି (ବାଳକ, ବାଳିକା) ଦୁଇଟି ଦଳ, ଫୁଟ୍ବଲ୍ (ବାଳକ) ଗୋଟିଏ ଦଳ, ଖୋଖୋ ଗୋଟିଏ ଦଳ (ବାଳିକା) ଓ ବ୍ୟାଡମିଣ୍ଟନ (ବାଳକ, ବାଳିକା) ଦୁଇଟି ଦଳ ଗଠନ ହୋଇଥିଲା । ବାଲିଗୁଡ଼ା ବ୍ଲକ୍ରୁ ସମୁଦାୟ ୬ ଟି ଦଳ ଜିଲ୍ଲାସ୍ତରୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିଥିଲେ । ସେଥିମଧ୍ୟରୁ କବାଡି (ବାଳକ) ଦଳ କ.ନୁଆଗାଁ ବ୍ଲକକୁ ହରାଇ ଚମ୍ପିୟାନ୍ ହୋଇଥିବାବେଳେ ଫୁଟ୍ବଲ୍ (ବାଳକ) ଦଳ ଫାଇନାଲ ମ୍ୟାଚରେ ଫୁଲବାଣୀ ବ୍ଲକ୍ ସହ ସଂଘର୍ଷପୂର୍ଣ୍ଣ ମ୍ୟାଚ ଖେଳି ଶେଷରେ ପେନାଲଟିରେ ୪-୨ ଗୋଲରେ ପରାଜୟର ସମ୍ମୁଖୀନ ହୋଇ ରନର୍ସ ଅପ୍ ହୋଇଛନ୍ତି ବାଲିଗୁଡ଼ା ବ୍ଲକ୍ ଦଳ । ଏହାକୁ ନେଇ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ ଓ କ୍ରୀଡ଼ାପ୍ରେମୀ ବେଶ୍ ଉତ୍ସାହିତ ଥିବା ଦେଖିବାକୁ ମିଳିଛି । ବାଲିଗୁଡ଼ାରେ ଉଭୟ ଦଳ ପହଁଚିବା ପରେ ବ୍ଲକ୍ ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ବିଡ଼ିଓ ଶଶାଙ୍କ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବାଲିଗୁଡ଼ା ବ୍ଲକ୍ରୁ ସମସ୍ତ ଖେଳାଳି ଚୟନ ହୋଇ ଜିଲ୍ଲାସ୍ତରକୁ ପଠାଯାଇଥିଲା । ଅନ୍ୟପଟେ ବ୍ଲକର ଛାତ୍ରଛାତ୍ରୀଙ୍କ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ଏବଂ କ୍ରୀଡ଼ାକ୍ଷେତ୍ରରେ ସେମାନଙ୍କୁ ଆଗକୁ ବଢ଼ାଇବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଏହି କାର୍ଯ୍ୟକ୍ରମ କରାଯାଇଛି । ଆମ ଅଞ୍ଚଳର କ୍ରୀଡ଼ାରେ ଆଗକୁ ବଢ଼ିବାକୁ ଚାହୁଁଥିବା ଖେଳାଳିଙ୍କୁ ବ୍ଲକ୍ପ୍ରଶାସନ ପକ୍ଷରୁ ଖେଳସାମଗ୍ରୀ ଯୋଗାଇବା ସହ ସେମାନଙ୍କ କ୍ରୀଡ଼ାକୁ ସୁଦୃଢ଼ କରିବାପାଇଁ ଆମେ ଆଗକୁ ମଧ୍ୟ ଆମ ଚେଷ୍ଟା ଜାରି ରଖିବୁ ବୋଲି କହିଛନ୍ତି ବିଡ଼ିଓ ।