ପ୍ରେମିକକୁ ହତ୍ୟା ଘଟଣାରେ ଆଉ ୭ ଗିରଫ, ଅଭିଯୁକ୍ତଙ୍କ ସଂଖ୍ୟା ୧୪କୁ ବୃଦ୍ଧି

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଲଣ୍ଡାଗାଁ ଗ୍ରାମ ପଞ୍ଚାୟତର ପୁଟୁକିପାଲି ଜଙ୍ଗଲରୁ ଅଖାରେ ବନ୍ଧା ହୋଇଥିବା ଅବସ୍ଥାରେ ଜଣେ ଯୁବକଙ୍କ ଗଳିତ ଶବ ଉଦ୍ଧାର କରିଥିଲା ପୋଲିସ୍‌ । ଶବ ଉଦ୍ଧାରର ଦୁଇଦିନ ମଧ୍ୟରେ ହତ୍ୟାକାଣ୍ଡର ଗୁମର ଖୋଲିଛି ବାଲିଗୁଡ଼ା ପୋଲିସ୍‌ । ଏହା ଏକ ପ୍ରେମଜନିତ ଯୋଜନାବଦ୍ଧ ହତ୍ୟାକାଣ୍ଡ ହୋଇଥିବା ବେଳେ ଘଟଣାରେ ଗତକାଲି ସାତ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ ସାତ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିଲା ପୋଲିସ୍‌ । ଆଜି ପୁଣି ସାତ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପୋଲିସ୍‌ ପକ୍ଷରୁ ସୂଚନା ମିଳିଛି । ଗତ ୨୬ ତାରିଖରେ ଶୁକଦେବ ରଣା ବୌଦ୍ଧ ଜିଲ୍ଲା ଘଣ୍ଟାପଡ଼ା ଅଞ୍ଚଳରୁ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଲଣ୍ଡାଗାଁ ଅଞ୍ଚଳକୁ ପ୍ରେମିକା ସହ ଦେଖାକରିବାକୁ ଆସି ହତ୍ୟାର ଶିକାର ହୋଇଥିଲେ । ପୂର୍ବ ଯୋଜନା ମୁତାବକ ପ୍ରେମିକାଙ୍କ ସମ୍ପର୍କୀୟ ଲୋକେ ଶୁକଦେବଙ୍କୁ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରି ହତ୍ୟା କରିବା ପରେ ଶବକୁ ଏକ ଅଖାରେ ପୁରାଇ ପୁଟକିପାଲି ନିକଟସ୍ଥ ଜଙ୍ଗଲରେ ଫିଙ୍ଗି ଦେଇଥିଲେ । ମୃତକଙ୍କ ପରିବାର ପକ୍ଷରୁ ହୋଇଥିବା ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ୍‌ । ଘଟଣାରେ ବାଲିଗୁଡ଼ା ଥାନା କେସ୍‌ ନଂ ୧୯୨/୦୫.୦୮.୨୦୨୨ ରେ ଏକ ମାମଲା ରୁଜୁ କରି ଦଫା ୩୦୨,୨୦୧,୩୪ ଧାରା ଆଧାରରେ ସମସ୍ତ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି । ଗତକାଲି ତଳିପଡ଼ା ଅଞ୍ଚଳର ଦୁସାଶନ ମଲ୍ଲିକ (୪୦),ନୀଳବନ୍ତ ମଲ୍ଲିକ (୨୧), ଗିରିଶ ଚନ୍ଦ୍ର ମଲ୍ଲିକ (୨୨), ଯୋଗେନ୍ଦ୍ର ମଲ୍ଲିକ (୪୦), ଉତ୍କଳ ମଲ୍ଲିକ (୧୯) ହୋଇଥିବା ବେଳେ ପୁଟୁକିପାଲି ଗ୍ରାମର ସୁଦୀପ ସେଠ୍‌ (୨୨) ଏବଂ କବିରାଜ ଠେଲା (୨୧)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଆଜି ପୁଣି ଆଉ ସାତ ଜଣ ଅଭିଯୁକ୍ତ ପୁଟୁକିପାଲି ତଳିପଡ଼ା ଅଞ୍ଚଳର ଚୈତନ୍ୟ ଭୋଇ (୪୫),ତେଜବନ୍ତ ଭୋଇ (୨୦), ଦନାର୍ଦ୍ଦନ ମଲ୍ଲିକ (୫୦), ଆମିନ ମଲ୍ଲିକ (୫୦),ମଦନ ମଲ୍ଲିକ (୩୦),ଛବିଳ ମଲ୍ଲିକ (୨୦), କେଶବ ମଲ୍ଲିକ (୨୫)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍‌ । ବର୍ତ୍ତମାନ ସୁଦ୍ଧା ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ୧୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ବାବାଶଙ୍କର ସରାଫ୍‌ ।

Comments (0)
Add Comment