ନିଘୋଡ ନିଦରେ ବନାଞ୍ଚଳ ଅଧିକାରୀ, ଗଣିଆ ବନାଞ୍ଚଳରୁ ଲୁଟ୍‌ ହେଉଛି ମୂଲ୍ୟବାନ କାଠ ଓ ବାଉଁଶ

ଦଶପଲ୍ଲା : ଗଣିଆରେ ବସି ରହିଛନ୍ତି ବନାଂଚଳ ଅଧିକାରୀ । ଏପଟେ ଦଶପଲ୍ଲାରେ ଲୁଟ୍‌ ହୋଇ ଚାଲିଛି ମୂଲ୍ୟବାନ କାଠ ଓ ବାଉଁଶ । ମାଫିଆ ମାନେ ଅହରହ ଗଣିଆ ବନାଞ୍ଚଳର ମଧ୍ୟଖଣ୍ଡ ସେକ୍ସନ ଅଧୀନସ୍ଥ ମହାନ୍ତିପଲ୍ଲୀ, ବଙ୍କାମୁଣ୍ଡା, ତେନ୍ତୁଳିଆପଲ୍ଲୀ, ମକରପ୍ରସାଦ ଏବଂ ମାଟିଆ ଜଙ୍ଗଲରେ ଦୌରାତ୍ମ୍ୟ ଚଳାଇ ଆସିଛନ୍ତି । ଏହି ଅଂଚଳରେ ରାତ୍ର ପାଟ୍ରୋଲିଂ ହେଉନଥିବା ବେଳେ ଖୋଦ୍‌ ବନାଞ୍ଚଳ ଅଧିକାରୀଙ୍କ ଦୂରଦୃଷ୍ଟି ଅଭାବ ପାଇଁ ଏସବୁ ଜଙ୍ଗଲ ଦିନକୁ ଦିନ ଧ୍ୱଂସ ପାଇ ଚାଲିଥିବା ସ୍ଥାନୀୟ ଅଧିବାସୀ ପ୍ରକାଶ କରିଛନ୍ତି । କିଛି କର୍ମଚାରୀଙ୍କ କହିବା ଅନୁଯାୟୀ ଗତ କିଛିଦିନ ତଳେ ହତ୍ୟାକାଣ୍ଡର ଶିକାର ହୋଇଥିବା ମହାନ୍ତିପଲ୍ଲୀ ଗ୍ରାମର ଦୁର୍ଦ୍ଦାନ୍ତ ଅପରାଧୀ ବିକାଶ ବେହେରାଙ୍କ ସମେତ କିଛି ସମର୍ଥକ ମାଫିଆଙ୍କ ସହ ହାତ ମିଳାଇ ଜଙ୍ଗଲରୁ ବହୁ ମୂଲ୍ୟବାନ କାଠ କାଟି ବାହାରକୁ ଚାଲାଣ କରିଥାନ୍ତି । ଘଟଣା ସମ୍ପର୍କରେ ବନ କର୍ମଚାରୀ ମାନେ ଜାଣିଥିଲେ ମଧ୍ୟ କେହି ବି ସେମାନଙ୍କ ମୁହଁକୁ ଯିବାକୁ ସାହାସ ଜୁଟାଉ ନାହାଁନ୍ତି । ଖାଲି ସେତିକି ନୁହେଁ ଘୁଗୁଡିପଡା ଏବଂ ମକରପ୍ରସାଦ ଜଙ୍ଗଲରୁ ମାଫିଆ ମାନେ ମହାନଦୀ କୂଳେକୂଳେ ଗଣିଆ ଦେଇ କଟକକୁ କାଠ ଚାଲାଣ କରୁଛନ୍ତି । ଫଳରେ ଘଂଚଜଙ୍ଗଲ ଆଜି ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଧ୍ୱଂସ ହେବାକୁ ବସିଲାଣି । ସେହିଭଳି ଦୈନିକ ମାଫିଆ ମାନେ ବାଉଁଶ କାଟିବାରେ ଲାଗି ପଡିଛନ୍ତି । ବାଉଁଶର ରକ୍ଷଣାବେକ୍ଷଣ ପାଇଁ ସରକାର ପ୍ରତିବର୍ଷ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ସାଇକେଲ ଏବଂ ବଳଦ ହଳ ମାଧ୍ୟମରେ ଦୈନିକ ବାଉଁଶ ଚାଲାଣ ହେଉଛି । ବଡକଥା ହେଉଛି ଗଣିଆ ବନାଂଚଳଟି ୨ଟି ସେକ୍ସନକୁ ନେଇ ଗଠିତ । ଏହାରି ମଧ୍ୟରେ ଦଶପଲ୍ଲା ବ୍ଲକର ମଧ୍ୟଖଣ୍ଡ ସେକ୍ସନଟି ହେଉଛି ଗୁରୁତ୍ୱପୂର୍ଣ୍ଣ । ଖାଲି ସେତିକି ନୁହେଁ ଏହି ସେକ୍ସନଟି ଦଶପଲ୍ଲା ଏବଂ ବାଇଶିପଲ୍ଲୀ ଅଭୟାରଣ୍ୟକୁ ସଂଯୋଗ କରୁଥିବା ବେଳେ ଶିକାରୀ ମାନେ ମଧ୍ୟ ବିଭିନ୍ନ ସମୟରେ ବନ୍ୟଜନ୍ତୁ ଶିକାର କରୁଛନ୍ତି । ଦଶପଲ୍ଲା ଠାରୁ ୨୨ କିମି ଦୂରରେ ଗଣିଆ ବନାଞ୍ଚଳ କାର୍ଯ୍ୟାଳୟଟି ଅବସ୍ଥିତ ଥିବା ବେଳେ ଏଥିପ୍ରତି ବନାଞ୍ଚଳ ଅଧିକାରୀଙ୍କ ନିଘା ରହୁନଥିବା ଅଭିଯୋଗ ହେଉଛି । ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସ୍ଥାନୀୟ ଅଂଚଳବାସୀ ଦାବି କରିଛନ୍ତି ।

Comments (0)
Add Comment