ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସ୍ତରୀୟ ସମ୍ବିଧାନ ଦିବସ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ପାଳିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମ୍ମାନିତ ଅତିଥି ଭାବରେ ଡେପୁଟୀ କଲେକ୍ଟର ନଟବର ଗରଡ଼ା, ନର୍ମଦା ନାୟକ ଯୋଗଦେଇଥିଲେ । ଭାରତୀୟ ମୂଳ ସମ୍ବିଧାନ ଓ ବର୍ତ୍ତମାନ ସମ୍ବିଧାନର ସରଞ୍ଚନା, ଗଠନ,କାର୍ଯ୍ୟଶୈଳୀ ନିତିନୀୟମ ଅଧିକାର ଓ କର୍ତ୍ତବ୍ୟ ବିଷୟରେ ପ୍ରାଞ୍ଜଳ ଭାବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପଣ୍ଡା ଉଦବୋଧନ ଦେଇଥିଲେ ଏବଂ ସମସ୍ତ କର୍ମଚାରୀ ମାନଙ୍କୁ ସମ୍ବିଧାନର ପ୍ରସ୍ତାବନାକୁ ନ୍ୟାୟ, ସ୍ୱତନ୍ତ୍ରତା, ସମାନତା, ଭାତୃତ୍ୱ, ସାର୍ବଭୌମ ସମାଜବାଦୀ,ଧର୍ମନିରପେକ୍ଷ ଗଣତାନ୍ତ୍ରିକ ରାଷ୍ଟ୍ର ଗଠନ କରିବା ଏବଂ ଜାତିର ଏକତା ଓ ଅଖଣ୍ଡତକୁ ବଜାୟ ରଖିବା ସମସ୍ତ ନାଗରିକଙ୍କ ପାଇଁ ସମାନ ଅଧିକାର ପ୍ରଦାନ କରାଯାଇଛି ବୋଲି ଶପଥ ପାଠ କରାଇଥିଲେ ।
ଏହି ବୈଠକରେ ସହକାରୀ ଜିଲ୍ଲାପାଳ ଜୟଦ୍ରଥ ଆଚାର୍ଯ୍ୟ, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ,ପ୍ରଫୁଲ୍ଲ କୁମାର ବେହେରା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରଦୀପ୍ତ ଗୁରୂମାଇ, ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।