ଆଜି ଶ୍ରୀଜିଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ, ଜାଣନ୍ତୁ କାରଣ

ପୁରୀ : କୋଭିଡ୍‌ ସ୍ଥିତି ଦୁର୍ବଳ ହୋଇଥିବାରୁ ଫେବୃଆରୀ ୧ତାରିଖରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଥିଲା ସର୍ବସାଧାରଣ ଦର୍ଶନ । ଭକ୍ତମାନେ ନୂତନ ମାର୍ଗଦର୍ଶିକା ଆଧାରରେ କୋଭିଡ୍‌ କଟକଣା ମାନି ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି । ଶ୍ରୀମନ୍ଦିର ଖୋଲିବା ମାତ୍ରେ ଶ୍ରୀମନ୍ଦିରରେ ହଜାର ହଜାର ଭକ୍ତଙ୍କ ଗହଳି ଲାଗୁଛି । ସ୍ୱତନ୍ତ୍ର ଏସଓପି ଅନୁସାରେ ଆଜି ରବିବାର ହେତୁ ଭକ୍ତଙ୍କ ଲାଗି ବନ୍ଦ ରହିଛି ଶ୍ରୀମନ୍ଦିର । ଆଜି ସକାଳୁ ସକାଳୁ ଶ୍ରୀମନ୍ଦିର ଓ ତାର ଚତୁଃପାର୍ଶ୍ୱରେ ଭକ୍ତଙ୍କ ଗହଳି ହେଉଥିବା ସ୍ଥାନକୁ ସାନିଟାଇଜ କରାଯାଇଛି । ଅଗ୍ନିଶମ ବିଭାଗର ଦୁଇଟି ଟେକ୍ନିକାଲ ଟିମ୍‌ ଆଜି ବିଶୋଧନ କରିଛନ୍ତି । ଦମକଳ ବାହିନୀ ଚାରିଦ୍ୱାର, ସ୍ୱତନ୍ତ୍ର ବ୍ୟାରିକେଡ ଓ ଅସ୍ଥାୟୀ ବ୍ୟାରିକେଡ, ଜୋତାଷ୍ଟାଣ୍ଡ, କିଓସ୍କ ଅଞ୍ଚଳ, ସିଂହଦ୍ୱାର, ବାଇଶିପାହାଚ ଆଦିକୁ ବିଶୋଧନ କରିଛନ୍ତି । ସେହିଭଳି ଅନ୍ୟ ଟିମ୍‌ ଶ୍ରୀମନ୍ଦିର ଭିତର ବେଢାରେ ଥିବା ଆନନ୍ଦ ବଜାର, କୀର୍ତ୍ତନ ଚକଡା, ସ୍ନାନ ବେଦୀ ଆଦିକୁ ସାନିଟାଇଜେସନ କରାଯାଇଛି । ଆସନ୍ତାକାଲି ସକାଳ ୬ଟାରୁ ପୁନର୍ବାର ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ । ପ୍ରତିଦିନ ପ୍ରାୟ ୩୦ହଜାର ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରି ସାନିଧ୍ୟ ନେଉଛନ୍ତି । ଭକ୍ତଙ୍କ ଗହଳି ସହ ହୁଣ୍ଡି ଆୟ ମଧ୍ୟ ଆଶାନୁରୂପ ବୃଦ୍ଧି ପାଇଛି । ଗତକାଲି ହୁଣ୍ଡି ଆୟ ଥିଲା ୫ଲକ୍ଷ ୨୭ହଜାର ୭୬୯ଟଙ୍କା ସହ ୭ଗ୍ରାମ ସୁନା ୧୦ଗ୍ରାମ ୮୫୦ ମିଲିଗ୍ରାମ ରୂପା । ସେପଟେ ଆଉ ମାତ୍ର କେଇଟା ଦିନ ପରେ ଦୋଳପୂର୍ଣ୍ଣମୀ । ମହାପ୍ରଭୁଙ୍କ ରାଜରାଜେଶ୍ୱର ବେଶ ଅର୍ଥାତ ସୁନାବେଶ । ପ୍ରଭୁ ମହଣ ମହଣ ସ୍ୱର୍ଣ୍ଣାଳଙ୍କାରରେ ବିଭୁଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ । ତେଣୁ ପରମ୍ପରା ଅନୁଯାୟୀ ସକାଳୁ ସକାଳୁ ଦିଅଁ ବିଜେ ନିତି ଅନୁଷ୍ଠିତ ହେଉଛି । ଶ୍ରୀରାମଚନ୍ଦ୍ର ଜଗନ୍ନାଥ ବଲ୍ଲଭ ବିଜେ କରିବା ସହ ସେଠାରେ ନିତିକ୍ରାନ୍ତି କରାଯାଉଛି । ତାପରେ ଦିଅଁ ଶ୍ରୀମନ୍ଦିରକୁ ବାହୁଡା ବିଜେ କରିଥାନ୍ତି ।

Comments (0)
Add Comment