ବିନିକାଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ସୁବର୍ଣ୍ଣପୁର: ଆଜି ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ବିନିକା ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ ଓ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଓ ସମସ୍ୟା ନିହିତ ୪୯ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ । ତନ୍ମଧ୍ୟରେ ବ୍ୟକ୍ତିଗତ ଦରଖାସ୍ତ ୪୫ ଗୋଟି, ସାମୁହିକ ଦରଖାସ୍ତ ୦୪ ଗୋଟି ରହିଥିବା ସୂଚନା ପ୍ରଦାନ କରାଯାଇଛି । ଗ୍ରହଣ କରାଯାଇଥିବା ଦରଖାସ୍ତ ମଧ୍ୟରୁ ଶିବିରରେ ବିଭିନ୍ନ ୧୯ ଗୋଟି ଅଭିଯୋଗ ଦରଖାସ୍ତର ତୁରନ୍ତ ସମାଧାନ କରାଯାଇଥିବା ବେଳେ ଅନ୍ୟାନ୍ୟ ୩୦ଟି ଅଭିଯୋଗ ଦରଖାସ୍ତକୁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ସମାଧାନ ପାଇଁ ସମ୍ପୃକ୍ତ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ଦ୍ୱାରା ତୁରନ୍ତ ସମାଧାନ ନିମନ୍ତେ ପ୍ରେରଣ କରାଯାଇଛି । ଏହି ଅବସରରେ ବ୍ଲକ ପ୍ରଶାସନ ବିନିକା ତରଫରୁ ଚରଦା ଗ୍ରା.ପ. ଅନ୍ତର୍ଗତ ଫୁଲମୁଠି ନିବାସୀ ବିନତୀ କରାଲିଙ୍କୁ ମଧୁବାବୁ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ମାସକୁ ୫୦୦/- ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ପୁନଶ୍ଚ ବିନିକା ତହସିଲ କାର୍ଯ୍ୟାଳୟ ତରଫରୁ ତହସିଲ ଅନ୍ତର୍ଗତ ମହଦା ଗ୍ରାମର ଦଇତି ଭୁଏ, ପଦ୍ମିନୀ ଗଡତିଆ, ବୁଇ ସା, ଓ ବାସନ୍ତୀ ସା, ସିଆଲି ଗ୍ରାମର ଚନ୍ଦ୍ରକାନ୍ତି ତାଣ୍ଡି, ତୁଲୁଣ୍ଡୁପାଲିର ପାର ଗଡତିଆ, ସିଂହୀଯୁବାର ମାଳତୀ ନାଏକ ଓ ଅନୁସୟା ବିଶ୍ୱାଳ ପ୍ରମୁଖ ୦୮ ଜଣ ଭୂମିହୀନଙ୍କୁ ବସୁନ୍ଧରା ଯୋଜନାରେ ଘରଡ଼ିହ ପଟ୍ଟା ପ୍ରଦାନ କରାଯାଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ,ବିନିକା ବ୍ୟାସଦେବ ବେହେରାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲା ଉନ୍ନୟନ ତଥା ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ନିହାର ରଞ୍ଜନ କହଁର,ଉପ ଜିଲ୍ଲାପାଳ ସୋନପୁର ଡଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ତହସିଲଦାର ବିନିକା, ମୁକ୍ତେଶ୍ୱର ପାଣିଗ୍ରାହୀ, ଜିଲ୍ଳା ସ୍ତରୀୟ ଅଧିକାରୀ, ବ୍ଲକ ସ୍ତରୀୟ କର୍ମଚାରୀ ପ୍ରମୁଖ ଯୋଗଦାନ କରିଥିଲେ । ଅଦ୍ୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଗତ ଏକ ମାସ ମଧ୍ୟରେ ବିନିକା ବ୍ଲକର ବିଭିନ୍ନ ସମସ୍ୟା ଉପରେ ପ୍ରକାଶିତ ଖବର ଉପରେ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି, ବିଭାଗୀୟ ଅଧିକାରୀ ମାନେ ଅଂଚଳର ଜନ ଜୀବନକୁ ପ୍ରଭାବିତ କରୁଥିବା ଭଳି ବିଭାଗୀୟ ଖବର ଗୁଡିକୁ ଗୁରୁତ୍ୱର ସହ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି ।

Comments (0)
Add Comment