ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ଉଲ୍ଲେ ଛକରୁ ଚରଦା ଯିବା ରାସ୍ତାର ଚରଦା ଚୌକିଜୋରରେ ମହୁମାଛି ଆକ୍ରମଣରେ ୪ ଜଣ ଆହତ ହୋଇଥିବା ଜଣାପଡିଛି । ଆହତମାନେ ହେଲେ ଶଙ୍କରା ଗ୍ରାମର ରମେଶ ବାଘ, ବାସୁଦେବ ପଧାନ, ଶୁଭାଜ୍ୟୋତି ପଣ୍ଡା, ଏବଂ ଚରଦାର ମହେନ୍ଦ୍ର ଥନାପତି ବୋଲି ଜଣାପଡିଛି । ସୂଚନା ଅନୁସାରେ ଚରଦା ବ୍ରିଜର ଏକ ଗଛରେ ମହୁମାଛି ବସାବାନ୍ଧି ରହୁଥିଲେ । ହଠାତ ଆଜି ବସା ଭୁସୁଡ଼ି ପଡିବାରୁ ହଜାର ହଜାର ମହୁମାଛି ରାସ୍ତା ଉପରକୁ ଉଡିଆସି ରାସ୍ତାରେ ଯାତାୟତ କରୁଥିବା ଲୋକଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଶଙ୍କରା ଗ୍ରାମର ରମେଶ ବାଘ ଗୁରୁତର ଭାବେ ଆକ୍ରାନ୍ତ ହୋଇଛନ୍ତି । ସେ ବିନିକା ଡାକ୍ତରଖାନାରେ ବର୍ତ୍ତମାନ ପର୍ଯ୍ୟନ୍ତ ଚିକିତ୍ସାଧିନ ଥିବା ବେଳେ ଅନ୍ୟ ଆହତମାନେ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡିଛି ।