ନବରଙ୍ଗପୁର ଜିଲ୍ଲା ଜିଲ୍ଲାସ୍ତରୀୟ ନୂଆଁଖାଇ ଭେଟ୍‌ଘାଟ

ନବରଙ୍ଗପୁର: ପଶ୍ଚିମଓଡ଼ିଶାର ଗଣ ପର୍ବ ନୂଆଁଖାଇ ପାଳନ ଅବସରରେ ନବରଙ୍ଗପୁର ଜିଲ୍ଲା ସଂସ୍କୃତି ପରିଷଦ ତରଫରୁ ସ୍ଥାନୀୟ ସାଇ କଲ୍ୟାଣ ମଣ୍ଡପଠାରେ ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ସମ୍ମାନିତ ଅତିଥି ଭାବେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁର ପୌରପାଳିକା ଅଧକ୍ଷ କୁନୁ ନାୟକ, ଡକ୍ଟର ରାଧାନାଥ ବେହେରା, ବିଜୟ କୁମାର ଚୌଧୁରୀ, ମନୋରମା ମାଝୀ ଯୋଗଦେଇ ପବିତ୍ର ଗଣପର୍ବ ନୂଆଁଖାଇ ପାଳନର ମହତ ଉଦ୍ଦେଶ୍ୟ ଓ ପରମ୍ପରା ସଂପର୍କରେ ଆଲୋକପାତ କରିଥିଲେ । ମୁଖ୍ୟ ଅତିଥି ବିଧାୟକ ଶ୍ରୀ ପ୍ରଧାନୀ ତାଙ୍କ ଅଭିଭାଷଣରେ ପବିତ୍ର ଭାଇଚାରା ସମ୍ପର୍କର ଗଣପର୍ବ ନୂଆଁଖାଇ କେବଳ ପଶ୍ଚିମ ଓଡ଼ିଶାର ସୀମିତ ହୋଇ ରହିନାହିଁ ଓଡ଼ିଶାର କୋଣ ଅନୁକୋଣରେ ପାଳନ କରାଯାଉଛି । ଭାଇଚାରା ସମ୍ପର୍କକୁ ବଜାୟ ରଖିବାର ଏହା ଏକ ବଡ଼ ପର୍ବ ବୋଲି କହି ସମସ୍ତଙ୍କୁ ନୂଆଁଖାଇ ଜୁହାର ସହିତ ଶୁଭେଚ୍ଛା ଜଣାଇଥିଲେ । ସମ୍ମାନିତ ଅତିଥି ବିଧାୟକ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ତାଙ୍କ ଅଭିଭାଷଣରେ ନୂଆଁଖାଇ ପର୍ବ ପାଳନର ପରମ୍ପରା ସଂପର୍କରେ ଆଲୋକପାତ କରି ବର୍ଷ ଜାକର ପାରିବାରିକ ତଥା ସାମାଜିକ ବାଦବିବାଦର ଅବସାନ ନୂଆଁଖାଇ ପର୍ବରେ ହୋଇଥାଏ । ସମସ୍ତେ ଭେଦ ଭାବ ଭୁଲି ଏକତ୍ର ହୋଇ ଏହି ଅବସରରେ ଭାଇଚାରା ସମ୍ପର୍କକୁ ବଜାଇ ରଖିଥାନ୍ତି ବୋଲି କହିଥିଲେ । ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ତାଙ୍କ ଅଭିଭାଷଣରେ ନୂଆଁଖାଇ ହେଉଛି ଏକ ପବିତ୍ର ଗଣ ପର୍ବ । ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ଭାଇଚାରା ସଂପର୍କକୁ ଏକତାର ଡୋରୀରେ ବାନ୍ଧି ରଖିବାର ଏବଂ ସସ୍କୃତିକ ପରମ୍ପରାକୁ ବଞ୍ଚାଇ ରଖିବାର ଏକ ବଡ଼ ପର୍ବ, ଆମ ସଂସ୍କୃତି ହିଁ ଆମ ପରିଚୟ ଆମ କଳା, ସଂସ୍କୃତିକୁ କିପରି ବଞ୍ଚାଇ ରଖିବା ତା ଉପରେ ଆଲୋକାତ କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ହଳଧର ନୀଅଲ୍‌ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲାବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ ସ୍ୱାଗତ ଭାଷଣ ସହିତ ଶେଷରେ ସମସ୍ତଙ୍କୁ ଧନ୍ୟବାଦ୍‌ ଦେଇଥିଲେ । ଏହି ଅବସରରେ ଜିଲ୍ଲା ସଂସ୍କୃତି ପରିଷଦ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Comments (0)
Add Comment