ଗଞ୍ଜାମ:ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଦିଗାପଡ଼ା ପଞ୍ଚଯାତର ରେଙ୍ଗିଟି ପଲି ଉଚ୍ଚ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଦାନ ନିମନ୍ତେ ଯାଉଥିବା ଛାତ୍ରଛାତ୍ରୀମାନେ ନାହିଁ ନଥିବା ଅସୁବିଧାର ଶିକାର ହେଉଥିବା ଦେଖିବାକୁ ମିଳିଛି । ଏହି ବିଦ୍ୟାଳୟଟି ୧୯୩୬ ମସିହାରେ ସ୍ଥାପିତ ହୋଇଥିଲା । ଏଠାରେ ପ୍ରଥମ ଠାରୁ ଅଷ୍ଟମ ପର୍ଯ୍ୟନ୍ତ ମୋଟ ୨୧୮ପିଲା ଅଧ୍ୟୟନ କରନ୍ତି ଏବଂ ୬ଜଣ ଶିକ୍ଷକ ଏଠି ଶିକ୍ଷାଦାନ କରନ୍ତି । କିନ୍ତୁ ଦର୍ଭାଗ୍ୟର ବିଷୟ ସାମାନ୍ୟ ବର୍ଷା ହେଲେ ଏଠି ଆଣ୍ଠୁଏ ପାଣିରେ ପିଲାମାନଙ୍କୁ ଆସିବାକୁ ପଡୁଛି ସ୍କୁଲକୁ । ତାହା ସାଙ୍ଗକୁ ଶ୍ରେଣୀ ଗୃହର ଅଭାବ ଥିବା ହେତୁ ପିଲାମାନଙ୍କ ପଢାରେ ବ୍ୟାଘାତ ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି ।
୨ ଟି ଶ୍ରେଣୀ ଗୃହ ଭାଙ୍ଗି ପଡ଼ିଥିବାବେଳେ ବିପଦ ସଂକୁଳ ଅବସ୍ଥାରେ ଥିଲେ ମଧ୍ୟ ଏଠି ପ୍ରଶାସନର ନଜର ପଡୁ ନଥିବା ଅଭିଯୋଗ କରିଛନ୍ତି ଅଭିଭାବକ । ସରକାର ଶିକ୍ଷା ବାବଦକୁ କୋଟି କୋଟି ଟଙ୍କା ପାଣିଭଳି ଖର୍ଚ୍ଚ କରୁଛନ୍ତି ଯେମିତି କି ଜଣେବି ପିଲା ଶିକ୍ଷା ଦାନରୁ ବଂଚିତ ନହୁଅନ୍ତି, ସେଇଥି ପାଇଁ ବହୁତ ଯୋଜନା ମଧ୍ୟ କରିଛନ୍ତି । ହେଲେ ଏବେ ପ୍ରଶ୍ନ ଉଠୁଛି ଏମିତି ଅବ୍ୟବସ୍ଥା ଭିତରେ ଏହି ସ୍କୁଲ ଚାଲୁଥିବା ବେଳେ କାହିଁକି ପ୍ରଶାସନିକ ଅଧିକାରୀଙ୍କ ନଜର ପଡ଼ିନାହିଁ ନା ନଜର ପଡିମଧ୍ୟ ଚୁପ ବସିଛନ୍ତି ଅଧିକାରୀ ମାନେ । ଏହାର ତୁରନ୍ତ ସମାଧାନ ଯଦି ନ ହୁଏ ଆଗାମୀ ଦିନରେ ଏକ ବଡ ଆନ୍ଦୋଳନ ହେବା ନେଇ ସଜବାଜ ହେଉଛନ୍ତି ଗ୍ରାମବାସୀ ।