ପୁରୀ ବସଷ୍ଟାଣ୍ଡରେ ଖୋଲିଲା ଯାତ୍ରୀ ସୂଚନା କେନ୍ଦ୍ର

ପୁରୀ : ବାରମ୍ବାର ଦାବି ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରୀ ବସଷ୍ଟାଣ୍ଡରେ ଖୋଲିଛି ଯାତ୍ରୀ ସୂଚନା କେନ୍ଦ୍ର । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଏହି ସୂଚନା କେନ୍ଦ୍ରକୁ ଉଦଘାଟନ କରିବା ସହ ଯାତ୍ରୀମାନଙ୍କୁ କିଭଳି ଭଲ ସେବା ଯୋଗାଇ ଦିଆଯିବ ସେନେଇ ସମସ୍ତ ବ୍ୟବସ୍ଥା କରାଯାଇଛି । ଏହି ସୂଚନା କେନ୍ଦ୍ରରେ ଯାତ୍ରୀଙ୍କୁ ନିର୍ଦ୍ଧାରିତ ବସ୍‌ ଭଡା ନେଇ ସୂଚନା ଦିଆଯିବା ସହ ବିଭିନ୍ନ ସମସ୍ୟାକୁ ନେଇ ବସରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କର ଅଭିଯୋଗ ମଧ୍ୟ ଗ୍ରହଣ କରାଯିବ । ସେହିପରି ଯାତ୍ରୀମାନଙ୍କୁ ସଠିକ୍‌ ବସ୍‌ ଭଡା ସୂଚନା ପ୍ରଦାନ ପାଇଁ ବଡ ବଡ ଏଲ୍‌ଇଡି ସ୍କ୍ରିନ ମଧ୍ୟ ପ୍ରଦର୍ଶିତ ହୋଇଛି । କେବଳ ସେତିକି ନୁହେଁ ସଡକ ସୁରକ୍ଷା ସଚେତନତା, ପୁରୀ ଜିଲ୍ଲାରେ ଥିବା ବିଭିନ୍ନ ପର୍ଯ୍ୟଟନସ୍ଥଳୀର ସୂଚନା, ବିଭିନ୍ନ ରୁଟ୍‌ ଦେଇ ଯାତ୍ରା କରୁଥିବା ବସ ମାନଙ୍କର ସମୟ ବିବରଣୀ ଭଳି ସୂଚନା ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ଓ ଆଞ୍ଚଳିକ ପରିବହନ ଅଧିକାରୀ ସୂଚନା ଦେଇଛନ୍ତି ।
ବସ କେଉଁ ସମୟରେ ଯାଉଛି ସେନେଇ ମଧ୍ୟ ସୂଚନା ନଥିବାରୁ ଯାତ୍ରୀମାନେ ପ୍ରତିଦିନ ଅନେକ ସମସ୍ୟା ଭୋଗୁଥିଲେ । ତେବେ ଏହି ଅଭିଯୋଗ ଜିଲ୍ଲାପାଳଙ୍କ ଦୃଷ୍ଟିକୁ ଆସିବା ପରେ ଯାତ୍ରୀମାନଙ୍କ ସୁବିଧା ପାଇଁ ବସଷ୍ଟାଣ୍ଡ ପରିସରରେ ଯାତ୍ରୀ ସୂଚନା କେନ୍ଦ୍ର ବ୍ୟବସ୍ଥା କରାଯାଇଥିବାରୁ ଯାତ୍ରୀମାନେ ପ୍ରଶାସନ ଏଭଳି ବ୍ୟବସ୍ଥାକୁ ସ୍ୱାଗତ କରିଛନ୍ତି ।
ପୁରୀକୁ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ଆସୁଥିବାରୁ ସେମାନଙ୍କ ସୁରକ୍ଷା ଓ ସୁରକ୍ଷିତ ବସ ଯାତ୍ରା ନେଇ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ତେବେ ପୁରୀ ବସଷ୍ଟାଣ୍ଡରେ ପ୍ରଥମ ଥର ପାଇଁ ଏହି ଯାତ୍ରୀ ସୂଚନା କେନ୍ଦ୍ର ଆରମ୍ଭ ହେବା ପରେ ଏହି ବ୍ୟବସ୍ଥା ଯାତ୍ରୀଙ୍କୁ ବେଶ୍‌ ସହାୟକ ହେବ ବୋଲି ଆଶା କରାଯାଉଛି ।

Comments (0)
Add Comment