ବୌଦ୍ଧ ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ ଗଠିତ

ଜହ୍ନାପଙ୍କ: ବୌଦ୍ଧ ବ୍ଳକ ଖୁଣ୍ଟବନ୍ଧ ପଂଚାୟତ ଅନ୍ତର୍ଗତ ବୁରକଟା ଛକ ନିକଟରେ ଥିବା ଆନନ୍ଦମାର୍ଗ ଆଶ୍ରମରେ ବୌଦ୍ଧ ବ୍ଳକରେ କାର୍ଯ୍ୟରତ ଶିକ୍ଷା ସହାୟକ, ଗଣ ଶିକ୍ଷକ, ଜିଲ୍ଲା ପରିଷଦ ଶିକ୍ଷକ ଓ ପ୍ରାଥମିକ ଶିକ୍ଷକମାନଙ୍କୁ ନେଇ ଜିଲ୍ଲା ସଭାପତି ଦିଲ୍ଲୀପ ପ୍ରଧାନଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକକୁ ଜିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ତଥା କଣ୍ଟାମାଳ ବିଧାୟକ ମହୀଧର ରଣା ଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ଶିକ୍ଷକବୃନ୍ଦ ନିଷ୍ଠାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ କଣ୍ଟାମାଳ ବ୍ଳକ ମିଳିତ ପ୍ରାଥମିକ ସଂଘର ସଭାପତି ନିଳାଞ୍ଚଳ ଭୋଇ ଯୋଗ ଦେଇଥିଲେ । ରାଜ୍ୟ ସଂଘର ଉପ ସଭାପତି ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ବୈଠକର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରି ସମସ୍ତ ବର୍ଗର ଶିକ୍ଷକମାନଙ୍କୁ ନେଇ ବ୍ଳକ ଓ ଜିଲ୍ଲା ସ୍ତରରେ ଏକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ଗଠନ କରିବାକୁ ପ୍ରସ୍ତାବ ଦେଇଥିଲେ । ପ୍ରାଥମିକ ଶିକ୍ଷକ ସଂଘ ଜିଲ୍ଲା ସମ୍ପାଦକ ପ୍ରଦୀପ ମହାନ୍ତି ପଦୋନ୍ନତି କ୍ଷେତ୍ରରେ ଜିଲ୍ଲା ପରିଷଦ ଶିକ୍ଷକ ଓ ଗଣ ଶିକ୍ଷକମାନଙ୍କର ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ବ୍ଳକ ସଂପାଦକ ପ୍ରତାପ କୁମାର ବେହେରା, ନରେନ୍ଦ୍ର ପ୍ରଧାନ, ଆଲୋକ ମେହେର, ସନ୍ତୋଷ କୁମାର ଶତପଥି, ଅରବିନ୍ଦ ମହାଳିକ, ସୁଶୀଳ ପରିଡ଼ା, ଗୌରୀ ପ୍ରାସାଦ ସାହୁ ପ୍ରମୁଖ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରି ଟିଡିଏସ୍‌ ସାର୍ଟିଫିକେଟ, ପେ ସ୍ଲିପ, ପୁରୁଣା ପେନସନ ବ୍ୟବସ୍ଥା ବ୍ୟବସ୍ଥାର ପୁନଃ ପ୍ରଚଳନ ସମସ୍ୟାର ତୁରନ୍ତ ସମାଧାନ ପାଇଁ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ଏକତ୍ରିତ ହେବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହାପରେ ସର୍ବ ସମ୍ମତିକ୍ରମେ ବ୍ଳକ ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତା ମନୋନୀତ ହୋଇଥିଲେ । ସଭାପତି ଭାବେ ଶମ୍ଭୁ ଗିରି, ସଂପାଦକ ସୁଶାନ୍ତ ଅମାତ, କୋଷାଧ୍ୟକ୍ଷ ଶବର ସେଠୀଙ୍କୁ ମନୋନୀତ କରାଗଲା । କାର୍ଯ୍ୟକାରୀ ସଭ୍ୟ ଭାବେ ଛବିଳ ପ୍ରଧାନ ଓ ତ୍ରୟମ୍ବକ ସେଠୀ ଏବଂ ଉପଦେଷ୍ଟା ଭାବେ ଗୌରୀ ପ୍ରସାଦ ମନୋନୀତି ହୋଇଥିଲେ ।

Comments (0)
Add Comment