ଅନ୍ୟପାଇଁ ଉଦାହରଣ ସାଜିଲେ ଡାକ୍ତର

ଦଶପଲ୍ଲା : – ଟିବି ବା ଯକ୍ଷ୍ମା ରୋଗରେ ପୀଡିତ ରୋଗୀମାନଙ୍କର ଚିକିତ୍ସା କରିବା ସହିତ ସେମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବାପାଇଁ କେନ୍ଦ୍ର ସରକାର ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛନ୍ତି । ଏହି ଯୋଜନାରେ ଯକ୍ଷ୍ମା ରୋଗୀଙ୍କୁ ପୋଷ୍ୟରୂପେ ଗ୍ରହଣ କରି ସେମାନଙ୍କୁ ଚିକିତ୍ସା ସହିତ ଖାଦ୍ୟ ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ କରିଛନ୍ତି । ଏହି କ୍ରମରେ ନୟାଗଡ ଜିଲ୍ଲାରେ ପ୍ରଥମ ବ୍ୟକ୍ତି ଭାବେ ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ମଧୁସୂଦନ ଦାସ ଜଣେ ଯକ୍ଷ୍ମା ରୋଗୀଙ୍କୁ ପୋଷ୍ୟରୂପେ ଗ୍ରହଣ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି । ସେ ଗଣିଆ ପଞ୍ଚାୟତ ହରିଜନ ସାହିର ଅର୍ଜୁନ ନାୟକଙ୍କୁ ପୋଷ୍ୟରୂପେ ଗ୍ରହଣ କରିଛନ୍ତି । ସେ ରୋଗୀଙ୍କୁ ଭେଟି ଚାଉଳ, ଡାଲି, ଚୂଡା, ସୁଜି, ହର୍ଲିକ୍ସ, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପ୍ରଦାନ କରିଛନ୍ତି । ଚିକିତ୍ସା ସମୟରେ ଆଗାମୀ ୬ ମାସ ପର୍ଯ୍ୟନ୍ତ ରୋଗୀଙ୍କର ସମସ୍ତ ଖର୍ଚ୍ଚ ସ୍ୱାସ୍ଥ୍ୟ ଅଧିକାରୀ ନିଜ ପକେଟରୁ ବହନ କରିବେ । ଏପରିକି ଚିକିତ୍ସା ଅବଧି ଯେତେଦିନ ପର୍ଯ୍ୟନ୍ତ ବଢ଼ିବ ସେତେଦିନ ପର୍ଯ୍ୟନ୍ତ ସେ ରୋଗୀର ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ଜଣାଇଛନ୍ତି । ସ୍ୱାସ୍ଥ୍ୟ ଅଧିକାରୀଙ୍କ ଏଭଳି ପ୍ରଶଂସନୀୟ କାର୍ଯ୍ୟ ସାଧାରଣରେ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛି । ଆଜିର ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଅଧିକାରୀ ମଧୁସୂଦନ ଦାସ, ଜିଲ୍ଲା ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀ ଏ.କେ.ଖାନ, ଯକ୍ଷ୍ମା ସୁପରଭାଇଜର ଅସିତ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment