ପୁରୀ : ଆସନ୍ତାକାଲି ପବିତ୍ର ଅଁଳା ନବମୀ । ଶ୍ରୀରାଧାରାଣୀଙ୍କର ଓଡିଆଣୀ ବେଶ ଓ ପାଦ ଦର୍ଶନ ପାଇଁ ସାକ୍ଷୀଗୋପାଳ ଗୋପାଳଜିଉ ମନ୍ଦିରରେ ଭକ୍ତଙ୍କର ଲାଗିବ ଭିଡ । କୋଭିଡର ଦୁଇ ବର୍ଷ ପରେ ପୁଣି ଚଳଚଞ୍ଚଳ ହେବ ଗୋପାଳଜିଉ ମନ୍ଦିର । ଏଥିପାଇଁ ପ୍ରସ୍ତୁତି ପ୍ରାୟ ଶେଷ ହେଇଛି । ସଠିକ୍ ସମୟରେ ଦେବନିତୀ ସଂପନ୍ନ, ଶୃଙ୍ଖଳିତ ଦର୍ଶନ ସାଙ୍ଗକୁ ସମସ୍ତ ପ୍ରକାର ମୌଳିକ ସୁବିଧା ସୁଯୋଗ ଭକ୍ତ ମାନଙ୍କୁ ଯୋଗାଇ ଦେବାପାଇଁ ଜିଲ୍ଲା ପ୍ରଶାସନ ସଜାଗ ରହିଛି ।
ପୁରୀ ଜିଲ୍ଲା ସାକ୍ଷୀଗୋପାଳର ଗୋପାଳଜିଉ ମନ୍ଦିର । ପ୍ରତି ବର୍ଷ ଭଳି ଚଳିତ ବର୍ଷ ଶ୍ରୀରାଧାଙ୍କର ଓଡିଆଣୀ ବେଶ ଦର୍ଶନ ଲାଗି ପ୍ରସ୍ତୁତି ପ୍ରାୟ ଶେଷ । ବର୍ଷକରେ ଥରେ ଭକ୍ତ ମାନଙ୍କୁ ଓଡିଆଣୀ ବେଶ ସହିତ ପାଦ ଦର୍ଶନର ସୁଯୋଗ ପାଇଥାନ୍ତି ଭକ୍ତ ଏହି ଅଁଳା ନବମୀ ଦିନ । ଭକ୍ତ ମାନେ ଉକ୍ତ ଦିନ ଅଁଳା ଗଛକୁ ପୂଜାର୍ଚ୍ଚନା କରିବା ସହିତ ରାଧାଙ୍କର ପାଦ ଦର୍ଶନ କରି ସ୍ପର୍ଶ କରିବାର ସୁଯୋଗ ପାଇଥାନ୍ତି । ମାତ୍ର କୋଭିଡ କଟକଣା ପାଇଁ ଦୁଇ ବର୍ଷ ଧରି ଭକ୍ତଙ୍କୁ ଦର୍ଶନ ଉପରେ କଟକଣା ଜାରି କରାଯାଇ ଥିଲା । ମାତ୍ର ଚଳିତ ବର୍ଷ କଟକଣା କୋହଳ ପରେ ଭକ୍ତ ଦର୍ଶନ ର ସୁଯୋଗ ପାଇବେ । ଏଥିପାଇଁ ମନ୍ଦିର ପରିଚାଳନା କମିଟି ତରଫରୁ ସ୍ୱତନ୍ତ୍ର ଦେବ ନିତୀ ନିର୍ଦ୍ଧାରଣ କରାଯାଇଛି । ସେବାୟତ ମାନଙ୍କ ଦ୍ୱାରା ମଙ୍ଗଳା ଆରତୀ, ମର୍ଦ୍ଦନ ଅବକାଶ, ନଟବର ବେଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବଲ୍ଲଭ, ସକାଳ ଧୂପ, ମଦନ ମୋହନ ଭୋଗ, ଆଦି ମାଙ୍କର ସେବା ରୀତିନିତୀ ସଂପନ୍ନ ପରେ ଭୋର ୫ଟା ଠାରୁ ଭକ୍ତ ମାନଙ୍କ ପାଇଁ ସାହାଣ ମେଲା ଦର୍ଶନ କରିପାରିବାର ବ୍ୟବସ୍ଥା କରାଯାଇଛି ।
ବିଶେଷକରି ଲକ୍ଷାଧିକ ଭକ୍ତ ମାନଙ୍କର ସମାଗମକୁ ଲକ୍ଷ୍ୟ ରଖି ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଭକ୍ତ ମାନଙ୍କୁ ଶୃଙ୍ଖଳିତ ଦର୍ଶନ କରିବା ପାଇଁ ବ୍ୟାରିକେଡର ବ୍ୟବସ୍ଥା କରାଯାଇଥିବା ବେଳେ ଭକ୍ତ ମାନେ ଧାଡିରେ ଯାଇ ଦର୍ଶନ କରି ପାରିବେ । ସେପଟେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୁଷ୍ଟିରେ ରଖି ପୋଲିସ ୨୦ ପ୍ଲାଟୁନ ଫୋର୍ସ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ଥିବା ବେଳେ ସମସ୍ତଙ୍କ ସହଯୋଗରେ ଏହା ସଫଳ ହେବ ବୋଲି ଆଶା ରଖିଛି ପ୍ରଶାସନ ।