ଗଜପତି ଜିଲ୍ଲାର ଶିଶୁ କଲ୍ୟାଣ ସମିତିରେ ଜିଲ୍ଲା ପ୍ରାର୍ଥୀଙ୍କୁ ମିଳିଲାନି ନିଯୁକ୍ତି, ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଆଶାୟୀ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ଶିଶୁ କଲ୍ୟାଣ ସମିତିର ସଭ୍ୟ, ସଭ୍ୟା ଓ ଅଧ୍ୟକ୍ଷ ପଦ ପାଇଁ ଆଶାୟୀ ଥିବା ପ୍ରାର୍ଥୀମାନଙ୍କ ସମେତ ବରିଷ୍ଠ ନାଗରିକମାନେ ଜିଲ୍ଲା ପ୍ରଶାସନର ଦ୍ୱାରସ୍ତ ହୋଇଛନ୍ତି । ଗତ ୮ ତାରିଖ ଦିନ ଏକ ବିଜ୍ଞପ୍ତି ପ୍ରକାଶ ପାଇବା ପରେ କେବଳ ଗଜପତି ଜିଲ୍ଲାକୁ ଛାଡି ଦେଲେ ଅନ୍ୟ ସମସ୍ତ ଜିଲ୍ଲାରେ ସେହି ଜିଲ୍ଲାବାସୀଙ୍କୁ ହିଁ ସମ୍ପୃକ୍ତ ଜିଲ୍ଲାର ଶିଶୁ କଲ୍ୟାଣ ସମିତିରେ କାର୍ଯ୍ୟ କରିବା ପାଇଁ ମନୋନୀତ କରାଯାଇଛି । ଏହାକୁ ନେଇ ଜିଲ୍ଲାବାସୀଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇବା ସହ ଆଶାୟୀଙ୍କ ମହଲରେ ଏପରି ପଦକ୍ଷେପକୁ ତୀବ୍ର ନିନ୍ଦା କରାଯାଇଛି ।
ଅଗଷ୍ଟ ୨୫ ତାରିଖରେ ଗଜପତି ଜିଲ୍ଲାର ଆବେଦନକାରୀଙ୍କ ସାର୍ଟିଫିକେଟ ଯାଞ୍ଚ କରାଯାଇଥିଲା । ଅକ୍ଟୋବର ୧ ତାରିଖରେ ଭୁବନେଶ୍ୱର ସ୍ଥିତ ମିଶନ ଶକ୍ତି ଭବନକୁ କଥାବାର୍ତ୍ତା କରିବା ସକାଶେ ଡକାଯାଇଥିଲା । ତେବେ, ଏହି ଦୁଇ ଦିନରେ ଉପସ୍ଥିତ ନଥିବା ବ୍ୟକ୍ତିଙ୍କୁ ବର୍ତ୍ତମାନ ଗଜପତି ଜିଲ୍ଲା ଶିଶୁ କଲ୍ୟାଣ ସମିତିରେ ସଦସ୍ୟ ଭାବେ ଚୟନ କରାଯାଇଛି । ଏଣୁ, ସାର୍ଟିଫିକେଟ ଯାଞ୍ଚ ହେବା ଏବଂ ସାକ୍ଷାତକାର ନିଆଯିବା ସତ୍ତେ୍ୱ ଗଜପତି ଜିଲ୍ଲାର କାହାରିକୁ ନିଯୁକ୍ତି ନ ଦେବା ନେଇ ଆଶ୍ଚର୍ଯ୍ୟ ପ୍ରକାଶ ପାଇଛି । ଏ ସଂକ୍ରାନ୍ତରେ ଭାଗ୍ୟଲକ୍ଷ୍ମୀ ନାୟକ, ବିନୋଦ ଚନ୍ଦ୍ର ଜେନା, ନାଗେଶ୍ୱର ଚୌଧୁରୀ, ଭାଗବତ ପାଢୀ, ଆଶାଲତା ପାଣିଗ୍ରାହୀ, ଗୌରୀ ଦେବୀ, ହରିଶ୍ଚନ୍ଦ୍ର ନାୟକ, ଲିଙ୍ଗରାଜ ପାଣିଗ୍ରାହୀ, ଜଗଦୀଶ ଚନ୍ଦ୍ର ମହାପାତ୍ର, ସୁରେଶ ଦାସ ପ୍ରମୁଖ ନୂତନ ନିଯୁକ୍ତିକୁ ବାତିଲ କରିବା ସକାଶେ ଅନୁରୋଧ କରି ଏକ ଅଭିଯୋଗ ଦାବିପତ୍ର ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ରାଜସ୍ୱ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ନାୟକଙ୍କୁ ପ୍ରଦାନ କରିଥିବା ଜଣାପଡିଛି ।

Comments (0)
Add Comment