ଫୁଲବାଣୀ: କନ୍ଧମାଳ ମହୋତ୍ସବ ଅବସରରେ ଜିଲ୍ଲା ଆଇନସେବା ପ୍ରାଧିକରଣ, ଫୁଲବାଣୀ ତରଫରୁ ଏକ ବିଶେଷ ଷ୍ଟଲ୍ କରାଯାଇ ସାଧାରଣ ଜନତାଙ୍କ ମଧ୍ୟରେ ଆଇନ୍ ସଚେତନତା ପାଇଁ ପ୍ରୟାସ ଜାରି ରହିଛି । ଜିଲ୍ଲା ଜଜ ସତ୍ୟପୀର ମିଶ୍ର ଏହାର ଉଦଘାଟନ କରିଥିଲେ । ଜିଲ୍ଲା ଜଜଙ୍କ ସହିତ ଫୁଲବାଣୀର ସମସ୍ତ ବିଚାର ବିଭାଗ ଅଧିକାରୀ ଯୋଗ ଦେଇଥିଲେ । ଆଇନସେବା ପ୍ରାଧିକରଣ ସଚିବ ଅନୁଶୀଳା ରୟଙ୍କ ସହିତ ଆଇନଜୀବୀ ସଂଘ ସଭାପତି ଓ ଅନ୍ୟ କର୍ମଚାରୀ ଏହାର ପରିଚାଳନାରେ ସହଯୋଗ କରିଥିଲେ । ମହୋତ୍ସବର ଦ୍ୱିତୀୟ ଦିବସରେ ଆଇନସେବା ପ୍ରାଧିକରଣ ତରଫରୁ ସଚେତନତା ଧର୍ମୀ ନାଟକ “ଆମେ କଣ୍ଢେଇ ନୋହୁଁ” ପରିବେଷିତ ହୋଇଥିଲା । ବରିଷ୍ଠ ଆଇନଜୀବୀ ବିଜୟ କୃଷ୍ଣ ପଟ୍ଟନାୟକଙ୍କ ଦ୍ୱାରା ରଚିତ ଓ ନିର୍ଦ୍ଦେଶିତ ଏହି ନାଟକ ଶିଶୁ ଶ୍ରମିକ, ମହିଳାଙ୍କ ଉପରେ ଏସିଡ ଆକ୍ରମଣ, ଅନ୍ଧ ବିଶ୍ୱାସ ଆଦି ବିରୋଧୀ ବିଷୟ ଆଧାରିତ ଥିଲା ଓ ବେଶ୍ ଆଦର ଲାଭ କରିଥିଲା ।ନାଟକରେ ବୈଦ୍ୟନାଥ ଖଟୁଆ, ଅଶୋକ ପ୍ରଧାନ,ପ୍ରଭାସ ନାୟକ, ସୌମ୍ୟ ମିଶ୍ର, ଚନ୍ଦନ ନାୟକ, ସୁରେନ୍ଦ୍ର ପଡ୍ରା, ଅପର୍ଣ୍ଣା ବେହେରା, ସସ୍ମିତା ପ୍ରଧାନ, ପ୍ରଜ୍ଞା ମହାରଣା, ସୁପ୍ରଭା ନାୟକ, ରାଜଲକ୍ଷ୍ମୀ ମହାକୁଡ଼, ଅମିତା ପ୍ରଧାନଙ୍କ ବଳିଷ୍ଠ ଅଭିନୟ ସହ ବିନୋଦ ସାହୁଙ୍କ ବାଦ୍ୟ ଯନ୍ତ୍ର ସହାୟତାରେ ନାଟକଟି ସଫଳ ହୋଇଥିଲା ।