ବିଧାୟକଙ୍କ ପ୍ରତିଶୃତି ପାଣିର ଗାର ; ଖଟିଆ ଆଉ ଭାରରେ ବୁହା ହେଉଛନ୍ତି ରୋଗୀ ଓ ପ୍ରସୂତି, ସରକାରଙ୍କ ଯୋଜନା ବାଟବଣା

ବାଲିଗୁଡ଼ା : ନିର୍ବାଚନ ପୂର୍ବରୁ ପୁଳାପୁଳା ପ୍ରତିଶ୍ରୁତି, ହେଲେ ହେଲେ ଭୋଟ ପାଇବା ପରେ ଯଥା ପୂର୍ବଂ ତଥା ପରଂ । ବିଧାୟକ ଭୋଟ ପାଇବା ପୂର୍ବରୁ ସମ୍ପୃକ୍ତ ଅଞ୍ଚଳକୁ ଯାଇ କହିଥିଲେ ମୁଁ ଏବେ ଚାଲି ଚାଲି ଆସିଛି ମୋତେ ଭୋଟ ଦିଅ ମୁଁ ତୁମ ଗାଁ କୁ ପକ୍କା ରାସ୍ତା କରି କାରରେ ଆସିବି । କିନ୍ତୁ ଭୋଟ ପାଇବା ପରଠାରୁ ଆଉ ତାଙ୍କର ତାଙ୍କର ପାଦ ପଡ଼ିନାହିଁ ସେହି ଅଞ୍ଚଳରେ । ଏଭଳି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ନିର୍ବାଚନ ମଣ୍ଡଳୀର ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ଗ୍ରାମପଞ୍ଚାୟତରୁ । ଗାଁ ଠୁ ସହର ସବୁଠି ବିକାଶ କରିବାପାଇଁ ରାଜ୍ୟ ସରକାର ଜୋରଦାର ଉଦ୍ୟମ ଚଳାଇଛନ୍ତି । ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ବିକାଶ ହୋଇଥିବା କୁହାଯାଉଛି । କିନ୍ତୁ କନ୍ଧମାଳ ଜିଲ୍ଲାର ବାସ୍ତବ ଚିତ୍ର ଏହାର ସମ୍ପୂର୍ଣ୍ଣ ଓଲଟା । ଦେଶ ସ୍ୱାଧିନତା ହାସଲକୁ ୭୫ବର୍ଷ ପୂରିଛି ସତ ହେଲେ କନ୍ଧମାଳ ଜିଲ୍ଲାରେ ଏବେ ବି ଏମିତି ଗାଁ ଅଛି ଯେଉଁଠି ଲୋକେ ମୌଳିକ ସମସ୍ୟା ଘେରରେ ଧନ୍ଦି ହେଉଛନ୍ତି ପ୍ରତିଦିନ । ପ୍ରଶାସନିକ ଅବହେଳା ହେଉ ଅବା ସରକାରୀ ବାବୁ ତଥା ସ୍ଥାନୀୟ ଲୋକ ପ୍ରତିନିଧିମାନଙ୍କ ଇଛାଶକ୍ତି ଅଭାବରୁ ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଲୋକେ ସରକାରୀ ସୁବିଧାରୁ ବଞ୍ଚିତ ରହୁଛନ୍ତି । ଗାଁ କୁ ଯିବା ପାଇଁ ଭଲ ରାସ୍ତାଟିଏ ନଥିବା ବେଳେ ୨୦ବର୍ଷ ପୂର୍ବେ ନିର୍ମିତ ପୋଲର ଉଭୟ ପାର୍ଶ୍ୱ ମାଟି ଧୋଇ ହୋଇଯାଇଥିବାରୁ ଗ୍ରାମବାସୀଙ୍କ ସମେତ କୋମଳମତୀ ଛାତ୍ରଛାତ୍ରୀମାନେ ବିପଦ ସଂକୁଳ ଅବସ୍ଥାରେ ଯିବାଆସିବା କରୁଛନ୍ତି । ଖାଲି ସେତିକି ନୁହେଁ ବରଂ ଜରୁରୀକାଳୀନ ପରିସ୍ଥିତିରେ ନଦୀ ଭିତରେ ରୋଗୀ ଓ ପ୍ରସୂତି ମହିଳାଙ୍କୁ ଖଟିଆ ଓ ଭାରରେ ବୋହି ଡାକ୍ତର ଖାନାକୁ ନେଇଥାନ୍ତି ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ଗ୍ରାମ ପଞ୍ଚାୟତ ବ୍ରହ୍ମପାଙ୍ଗା ଗ୍ରାମର ନିରୀହ ଲୋକେ । ତିଲୋରୀ ପଞ୍ଚାୟତର ୧୦ ନମ୍ବର ୱାର୍ଡରେ ରହିଛି ବ୍ରହ୍ମପାଙ୍ଗା, ଅରାକାମ୍ବା ଓ କାଡକୁପା ଗ୍ରାମ । ୮୦ରୁ ଉର୍ଦ୍ଧ୍ୱ ପରିବାରର ୩ଶହରୁ ଉର୍ଦ୍ଧ୍ୱ ଲୋକେ ବସବାସ କରନ୍ତି ଏହି ଅଞ୍ଚଳରେ । ଗ୍ରାମରୁ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟର ଦୂରତା ପ୍ରାୟ ୬କିଲୋମିଟର । ସେଥିମଧ୍ୟରୁ ପ୍ରାୟ ୩ କିଲୋମିଟର ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ଗାଁ ମୁଣ୍ଡରେ ୨୦ବର୍ଷ ତଳେ ପୋଲଟିଏ ନିର୍ମାଣ କରାଯାଇଥିଲା ଯାହାକି ବର୍ତ୍ତମାନ ସମୟରେ ପୋଲଟିର ଉଭୟ ପାର୍ଶ୍ୱ ମାଟି ବର୍ଷାରେ ଧୋଇ ହୋଇଯାଇଛି । ଯାହାଫଳରେ ଛାତ୍ରଛାତ୍ରୀ ମାନେ ପ୍ରତିଦିନ ବିପଦ ସଂକୁଳ ଅବସ୍ଥାରେ ପାଠ ପଢିବା ପାଇଁ ସ୍କୁଲ କଲେଜକୁ ଯିବା ଆସିବା କରୁଥିବା ବେଳେ ଗ୍ରାମବାସୀମାନେ ଦୈନନ୍ଦିନ କାମରେ ଯିବାଆସିବା ବେଳେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଗାଁକୁ ରାସ୍ତା ନଥିବା ଯୋଗୁଁ ଜରୁରୀକାଳୀନ ପରିସ୍ଥିତିରେ ୧୦୨ କିମ୍ବା ୧୦୮ ଆମ୍ବୁଲାନ୍ସ ଗ୍ରାମକୁ ଯାଇପାରେନାହିଁ । ବାର୍ଦ୍ଧକ୍ୟ ତଥା ବିଧବା ଭତ୍ତା ,ରାଶନ କାର୍ଡରେ ମିଳୁଥିବା ଚାଉଳ ଡାଲି ଓ କିରୋସିନ ନେବାପାଇଁ ରାସ୍ତାରେ ଚାଲିଚାଲି ଯିବାକୁ ପଡିଥାଏ । ଅନ୍ୟପକ୍ଷରେ ରାସ୍ତା ନଥିବା କାରଣରୁ ସାମାନ୍ୟ ରୋଗରେ ପିଡ଼ୀତ ରୋଗୀ ହୁଅନ୍ତୁ ଅବା ପ୍ରସୂତି ମହିଳଙ୍କୁ ଖଟିଆ ଓ ଭାରରେ ବୁହା ହୋଇ ଡାକ୍ତରଖାନାକୁ ଯିବାଆସିବା କରୁଛନ୍ତି ଗ୍ରାମବାସୀ । ୧୦୨/୧୦୮ ଆମ୍ବୁଲାନ୍ସ ଗ୍ରାମକୁ ରାସ୍ତାନଥିବା କାରଣରୁ ନ ଆସିବାରୁ ଜରୁରୀକାଳିନ ପରିସ୍ଥିତିରେ ରୋଗୀକୁ ନଦୀ ନାଳ ଭିତରେ ଭାର କରି କାନ୍ଧରେ ବୋହି ଡାକ୍ତରଖାନାକୁ ଗ୍ରାମବାସୀମାନେ ନେଇଥାନ୍ତି । ୨୦୧୯ ମସିହା ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଚାର ପ୍ରସାର ପାଇଁ ନେତା ଓ କର୍ମୀ ଗାଁରେ ପହଞ୍ଚି ପୁଳାପୁଳା ପ୍ରତିଶ୍ରୁତି ଦେଇ ଜିତିବା ପରେ ସବୁ ସମସ୍ୟାର ସମାଧାନ କରିଦେବୁ କହିଥିଲେ । କିନ୍ତୁ ଭୋଟ ହାସଲ ପରେ ଆଜି ପର୍ଯ୍ୟନ୍ତ ତାଙ୍କର ଦେଖାମିଳିନାହିଁ ବୋଲି ଗ୍ରାମବାସୀ ମାନେ କହିଛନ୍ତି । ଅନ୍ୟପଟେ ଏନେଇ ବ୍ଲକଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ନିକଟରେ ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ କରିଥିଲେ ସୁଦ୍ଧା ଏଯାବତ୍‌ କୌଣସି ସୁଫଳ ମିଳି ପାରିନାହିଁ । ପୋଲ ଓ ଭଲ ରାସ୍ତାଟିଏ ନିର୍ମାଣ ପାଇଁ ଗ୍ରାମବାସୀମାନେ ବିଡିଓ ଗଦାଧର ପାତ୍ରଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି । ତେବେ କେବେ ଗ୍ରାମବାସୀଙ୍କ ଦୁଃଖ ସରକାର ବୁଝିବେ ତାହାକୁ ଦେଖିବାକୁ ବାକି ରହିଲା ।

Comments (0)
Add Comment