ପ୍ରଶାସନ ତରଫରୁ ହୋଟେଲ ଓ ଲଜ୍‌ରେ ଚଢ଼ାଉ ,୧୦ ଘରୋଇ ଗ୍ୟାସ ସିଲିଣ୍ଡର ଜବତ

ଦାରିଙ୍ଗବାଡ଼ି: ଆରମ୍ଭ ହୋଇଛି ପର୍ଯ୍ୟଟନ ଋତୁ । ପର୍ଯ୍ୟଟନ ଋତୁ ଆସିଲେ ଦାରିଙ୍ଗବାଡ଼ିକୁ ପ୍ରତ୍ୟେକ ଦିନ ଶତାଧିକ ପର୍ଯ୍ୟଟକ ବୁଲିବାକୁ ଆସିଥାନ୍ତି । ପର୍ଯ୍ୟଟକଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ବିଭିନ୍ନ ହୋଟେଲ ଓ ଲଜ୍‌ରେ ଦାରିଙ୍ଗବାଡି ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର, ତହସିଲଦାର ଶରତ ଶବର ଓ ବିଡ଼ିଓ ଗଦାଧର ପାତ୍ର ମିଳିତ ଚଢାଉ କରିଥିଲେ । ଚଢ଼ାଉ ବେଳେ ଲଜର ଜମି ପଟ୍ଟା, ଏନଓସି ସାର୍ଟିଫିକେଟ୍‌, ଖାଦ୍ୟ ସୁରକ୍ଷା ସାର୍ଟିଫିକେଟ୍‌, ଅଗ୍ନି ନିରାପତ୍ତା ସୁରକ୍ଷା ସାର୍ଟିଫିକେଟ୍‌, ଲଜ୍‌କୁ ଆସୁଥିବା ପର୍ଯ୍ୟଟକଙ୍କ ଦୈନିକ ରେଜିଷ୍ଟର ଓ ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ୍‌ ହୋଇଥିଲା । ହୋଟେଲ ଗୁଡ଼ିକରେ ଖାଦ୍ୟ ଯାଞ୍ଚ ବେଳେ ହୋଟେଲ ଗୁଡ଼ିକରେ ପୋକ ସାଲୁବାଲୁ ହେଉଥିବା ଅସ୍ୱାସ୍ଥ୍ୟକର ପରିବେଶରେ ବାସି ଖାଦ୍ୟ ରହିଥିବା ଦେଖିବାକୁ ମିଳିଥିଲା । ଉକ୍ତ ଖାଦ୍ୟସାମଗ୍ରୀକୁ ପ୍ରଶାସନ ପକ୍ଷରୁ ନଷ୍ଟ କରାଯାଇଛି । ବ୍ୟବସାୟିକ କ୍ଷେତ୍ରରେ ବ୍ୟବସାୟିକ ଗ୍ୟାସ୍‌ ବ୍ୟବହାର କରାନଯାଇ ହୋଟେଲ ଗୁଡ଼ିକରେ ଘରୋଇ ଗ୍ୟାସ ବ୍ୟବହାର କରାଯାଇଥିବା ଯୋଗୁଁ ବିଭିନ୍ନ ହୋଟେଲ ରୁ ୧୦ଟି ଗ୍ୟାସ୍‌ ସିଲିଣ୍ଡର ଜବତ କରାଯାଇଥିଲା । କାଗଜପତ୍ର ସଠିକ୍‌ ନଥିବା କାରଣରୁ ୫ଟି ହୋଟେଲ ଓ ଲଜ୍‌ ରୁ ୨୭ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । ଆଗାମୀ ଦିନରେ ମଧ୍ୟ ଚଢ଼ଉ ଜୋରଦାର କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଥିବା ବେଳେ ସମସ୍ତ ହୋଟେଲ ଓ ଲଜ୍‌ମାନେ ଆବଶ୍ୟକ କାଗଜପତ୍ର ଠିକଠାକ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହିତ ହୋଟେଲ ଗୁଡ଼ିକୁରେ ସ୍ୱାସ୍ଥ୍ୟକର ପରିବେଶ ସହ ସଫା ସୁତରା ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ।ଏହି ଚଢାଉରେ ଦାରିଙ୍ଗବାଡି ରାଜସ୍ୱ ନୀରିକ୍ଷକ ସୁବ୍ରତ ମଲ୍ଲିକ, ଯୋଗାଣ ଅଧିକାରୀ ନିହାର ରଞ୍ଜନ ବେହେରା, ଅଗ୍ନିଶମ ହାବିଲଦାର ସତ୍ୟନାରାୟଣ ବେହେରା ସମେତ ପୋଲିସ ଫୋର୍ସ ସାମିଲ ଥିଲେ ।

Comments (0)
Add Comment