ଏତଲାକାରୀ ହିଁ ଅଭିଯୁକ୍ତ, ଟଙ୍କା ଆତ୍ମସାତ ଘଟଣାରେ ୩ ଗିରଫ

ସମ୍ବଲପୁର : ମାଇକ୍ରୋ ଫାଇନାନ୍ସ କମ୍ପାନୀର କର୍ମଚାରୀ ନିଜେ ଟଙ୍କା ଆତ୍ମସାତ କଲାପରେ ଡକାୟତି ହୋଇଛି ବୋଲି ପୁଲିସ ଥାନାରେ ଏତଲା ଦେଇଥିଲେ ଓ ତଦନ୍ତ ପରେ ସେମାନଙ୍କୁ ପୁଲିସ ଗିରଫ କରିଛି । ସମ୍ବଲପୁର ଏସପି ବାଟୁଲା ଗଙ୍ଗାଧର ଆଜି ପୁଲିସ ମୁଖ୍ୟାଳୟ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏବିଷୟରେ ସୂଚନା ଦେଇଛନ୍ତି । ତାଙ୍କ କହିବା ଅନୁସାରେ ଗତ ୧୨ ତାରିଖ ଦିନ ସ୍ଥାନୀୟ ଚାରମାଳ ଥାନାରେ ଏକ ମାମଲାର ତଦନ୍ତ କଲାପରେ ଏହିପରି ତଥ୍ୟ ସାମନାକୁ ଆସିଛି । ଗିରଫ ହୋଇଥିବା ତିନି ଜଣଙ୍କୁ ଜ୍ୟୋତିଲାଲ ବିଶ୍ୱାଳ (୨୨), ଶୁଭ ପ୍ରସାଦ ବିଶ୍ୱାଳ (୨୫) ଓ ଗଉତମ ପ୍ରଧାନ (୨୫) ରୂପେ ଚିହ୍ନଟ କରାଯାଇଛି । ସେମାନଙ୍କ ଠାରୁ ମାତ୍ର ୭ ହଜାର ଟଙ୍କା ନଗଦ, ଦୁଇଟି ବାଇକ, ତିନୋଟି ମୋବାଇଲ ଫୋନ ଓ ଗୋଟିଏ ଟାବଲେଟ ଜବତ କରାଯାଇଛି ।ସେମାନେ ଭାରତ ଫାଇନାନ୍ସ ଇଙ୍କ୍ଲୁଜନ ଲିମିଟେଡ ନାମକ ଏକ ମାଇକ୍ରୋ ଫାଇନାନ୍ସ କମ୍ପାନୀର ବୌଦ୍ଧ ଶାଖାରେ କାମ କରନ୍ତି । ସେଦିନ କମ୍ପାନୀ ପାଇଁ ୫୪ ହଜାର ୭୯୭ ଟଙ୍କା ସଂଗ୍ରହ କରି ଫେରୁଥିବା ସମୟରେ ତାଙ୍କ ମନରେ ଲୋଭ ହେଲା ଓ ସଂଗୃହିତ ଟଙ୍କା ଆତ୍ମସାତ କରି ନିକଟସ୍ଥ ପୁଲିସ ଥାନାରେ ଏକ ମାମଲା ରୁଜୁ କରିଥିଲେ ଯେ ଦୁଇଜଣ ଡକାୟତ ସେମାନଙ୍କ ବାଟ ଓଗାଳି ମାରପିଟ୍‌ କରିବା ପରେ ତାଙ୍କଠାରୁ ଟଙ୍କାତକ ଲୁଟି ନେଇଥିଲେ । ସମସ୍ତ ଉପଲବ୍ଧ ତଥ୍ୟକୁ ତନ୍ନ ତନ୍ନ କରି ବିଶ୍ଳେଷଣ କଲାପରେ ଜଣାପଡ଼ିଲା ଯେ ଅଭିଯୋଗ କରିଥିବା ବ୍ୟକ୍ତିମାନେ ହିଁ ଏହି ମାମଲାର ଅଭିଯୁକ୍ତ । ଏହି ସନ୍ଦର୍ଭରେ ଏସପି ମାଇକ୍ରୋ ଫାଇନାନ୍ସ କମ୍ପାନୀ ପରିଚାଳକଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ ସେମାନେ ଦେଖି ଚାହିଁ କର୍ମଚାରୀ ନିଯୁକ୍ତ କରନ୍ତୁ, ନଚେତ ଆଗକୁ ଏହିପରି ଘଟଣା ବାରମ୍ବାର ଘଟିବାର ସମ୍ଭାବନା ରହିଛି ।

Comments (0)
Add Comment