ଗୃହ ନିର୍ମାଣରେ ଶକ୍ତି ସଂରକ୍ଷଣ ବ୍ୟବସ୍ଥା ସମ୍ପର୍କରେ ତାଲିମ ଶିବିର

ନବରଙ୍ଗପୁର: ଆଧୁନିକ କୌଶଳ ପ୍ରଣାଳୀରେ କିପରି ଗୃହ ନିର୍ମାଣ ଓ ଏହାର ଡିଜାଇନ୍‌ ସମୟରେ କିପରି ଅନେକ ବ୍ୟବସ୍ଥା କରାଯାଇ ଶକ୍ତି ସଂରକ୍ଷଣ କରାଯାଇ ପାରିବ ସେ ସମ୍ପର୍କରେ ଓଡିଶା ଶକ୍ତି ବିଭାଗ ତରଫରୁ ମିଶନ ଶକ୍ତି ସଭା ଗୃହ ନବରଙ୍ଗପୁରରେ ଏକ ଦୁଇ ଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାପାଳ ଡଃ. କମଳ ଲୋଚନ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ତାଲିମ ଶିବିରର ଶୁଭ ଉଦଘାଟନ କରି ତାଲିମ ଶିବିରର ମହତ୍‌ ଉଦ୍ଦେଶ୍ୟ ସମ୍ପର୍କରେ ଉଲ୍ଲେଖ କରି ଜିଲ୍ଲାରେ ଗୃହ ନିର୍ମାଣରେ ଶକ୍ତି ସଂରକ୍ଷଣ ବ୍ୟବସ୍ଥା କିପରି କାର୍ଯ୍ୟକାରୀ କରାଯାଇ ପାରିବ ସେ ବିଷୟରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନେ ଯତ୍ନବାନ୍‌ ହେବା ପାଇଁ ପରାମର୍ଶ ଦେଇଥିଲେ । ଏହି ଦୁଇ ଦିନିଆ ତାଲିମ ଶିବିରରେ ଓଡିଶା ଶକ୍ତି ବିଭାଗର କନସଲଟାଣ୍ଟ ଅଶୋକ ନନ୍ଦ, ମାଷ୍ଟର ଟ୍ରେନର ଯେ. କେ. ବ୍ୟାସ, ରାମ ପ୍ରତାପ ପୋଦ୍ଧାର ତାଲିମ ପ୍ରଦାନ କରିଥିଲେ । ଏଥିରେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ପୂର୍ତ୍ତ ବିଭାଗ ପ୍ରଫୁଲ୍ଲ କୁମାର ମିଶ୍ର, ନିର୍ବାହୀ ଯନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ବିଭାଗ ଦେବର୍ଷି ନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ, ନିର୍ବାହୀ ଅଧିକାରୀ ପୌରପାଳିକା ନବରଙ୍ଗପୁର ପ୍ରାଣନାଥ ସେଠଙ୍କ ସମେତ ଜିଲ୍ଲାର ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ବିଜୁଳି ବିଭାଗ ଇତ୍ୟାଦି ବିଭାଗୀୟ ଇଞ୍ଜିନିୟର ମାନେ ଯୋଗଦାନ କରିଥିଲେ । ଗୃହ ନିର୍ମାଣ ରେ ଶକ୍ତି ସଂରକ୍ଷଣ ବ୍ୟବସ୍ଥା ସମ୍ପର୍କରେ ଜାଣିବାକୁ ଚାହିଁଲେ ଇଞ୍ଜିନିୟର ଅଶୋକ ନନ୍ଦଙ୍କ ମୋବାଇଲ ଫୋନ ନମ୍ବର ୯୪୩୭୩୦୩୫୪୮ କୁ ଯୋଗାଯୋଗ କରିବା ପାଇଁ ସେ ସୂଚନା ଦେଇଛନ୍ତି ।

Comments (0)
Add Comment