ଖଡିଆଳ ଓ ସିନାପାଲିଠାରେ ରାଜ୍ୟସ୍ତରୀୟ ବସଷ୍ଟାଣ୍ଡ ନିର୍ମାଣ ଦାବି କଲେ ଖଡିଆଳ ବିଧାୟକ

ନୂଆପଡା: ବିଧାନସଭାରେ ଖଡ଼ିଆଳ ଏବଂ ସିନାପାଲି ଠାରେ ରାଜ୍ୟସ୍ତରୀୟ ବସଷ୍ଟାଣ୍ଡ ନିର୍ମାଣ ଦାବୀ ରଖିଲେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ । ଜମି ପ୍ରଦାନ କଲେ ଅଗ୍ରାଧିକାର ଭିତ୍ତିରେ ବସଷ୍ଟାଣ୍ଡ ନିର୍ମାଣ ନେଇ ମନ୍ତ୍ରୀ ଟୁକୁନି ସାହୁ ଉତ୍ତର ରଖିଥିଲେ । ନୂଆପଡା ଜିଲ୍ଲା ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ଗମନା ଗମନ ମାଧ୍ୟମ କହିଲେ କେବଳ ଏକମାତ୍ର ମାଧ୍ୟମ ବସ ସେବା । ଅନ୍ୟ କୌଣସି ସେବା ଉପଲବ୍ଧ ନାହିଁ । ତେଣୁ ଖଡ଼ିଆଳ ଏବଂ ସିନାପାଲି ଠାରେ ଜାତୀୟସ୍ତର ନ ହେଲେ ମଧ୍ୟ ରାଜ୍ୟ ସ୍ତରୀୟ ବସଷ୍ଟାଣ୍ଡ ନିର୍ମାଣ ପାଇଁ ବିଧାନସଭାରେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଦାବୀ ରଖିଛନ୍ତି । ନିକଟରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ଏକ୍ସପ୍ରେସ ୱେ ଉଦଘାଟନ କରିଛନ୍ତି । ତେଣୁ ଖଡ଼ିଆଳ ଏନଏସି ଏବଂ ସିନାପାଲି ଠାରେ ଦୁଇ ଗୋଟି ବସ ଷ୍ଟାଣ୍ଡ ନିର୍ମାଣ କେବେ ହେବ ବୋଲି ପ୍ରଶ୍ନ ପଚାରିଥିଲେ । ଖଡ଼ିଆଳ ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖି ପରିବହନ ଓ ଗମନାଗମନ ମନ୍ତ୍ରୀ ଟୁକୁନୀ ସାହୁ କହିଛନ୍ତି ଯେ, ଓଡିଶାରେ ପ୍ରଥମ ପର୍ଯ୍ୟାୟରେ ୫୫ ଗୋଟି ବସ ଷ୍ଟାଣ୍ଡ ନିର୍ମାଣ ଲକ୍ଷ୍ୟ ରହିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ୫୦ ଗୋଟି ବସଷ୍ଟାଣ୍ଡ ଲକ୍ଷ୍ୟ ରହିଅଛି । ଜିଲ୍ଲାପାଳଙ୍କୁ ଜମି ଚିହ୍ନଟ ପାଇଁ ଚିଠି ଲେଖିଥିବା ବେଳେ ଜମି ପ୍ରଦାନ କଲେ ଅଗ୍ରାଧିକାର ଭିତ୍ତିରେ ଏହି ସ୍ଥାନରେ ବସଷ୍ଟାଣ୍ଡ ନିର୍ମାଣ ହେବ ବୋଲି ମନ୍ତ୍ରୀ କହିଛନ୍ତି ।

Comments (0)
Add Comment