ବଲାଙ୍ଗୀର: ଓଡ଼ିଶା ସରକାର କୃଷି କ୍ଷେତ୍ରରେ ଉନ୍ନତି ପାଇଁ ଅନେକ ଯୋଜନା କରୁଛନ୍ତି । ସରକାରଙ୍କ ଲୋକାଭିମୁଖୀ ଯୋଜନା ସଫଳ ହେବାସହ କୃଷି ଏବଂ କୃଷକ ମାନଙ୍କ ମଧ୍ୟ ଉନ୍ନତି ହେଉଥିବା ପରିଲକ୍ଷିତ ହୁଏ । କୃଷି ଏବଂ କୃଷକ ସଶକ୍ତିକରଣ ଦିଗରେ ଓଡ଼ିଶା ସରକାର ସଦା ତତ୍ପର । ରାଜ୍ୟ ସରକାରଙ୍କ ବିଭିନ୍ନ କୃଷକ କଲ୍ୟାଣ ଯୋଜନା ସମ୍ପର୍କରେ ରାଜ୍ୟରେ ଚାଷୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ନିମନ୍ତେ ପଥପ୍ରାନ୍ତ ନାଟକ ଓ ନାଚ ଗୀତ ମାଧ୍ୟମରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରି ସଚେତନ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି । ବଲାଙ୍ଗୀର ଜିଲ୍ଲାରେ ଚାଲୁଥିବା କୃଷି ଓ କୃଷକ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଯୋଜନାକୁ ଷ୍ଟାଗ ସଂସ୍ଥା ନିଜର କଳାରେ ସଙ୍ଗୀତ, ନାଚ ଏବଂ ପଥପ୍ରାନ୍ତ ନାଟକ କରି ବଲାଙ୍ଗୀର ଜିଲ୍ଲାର ପ୍ରାୟ ଗ୍ରାମ ଏବଂ ପଞ୍ଚାୟତରେ ଏହାର ପ୍ରଦର୍ଶନ କରିବ । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁବାସ ଚନ୍ଦ୍ର ବେହେରାଙ୍କ ତତ୍ୱାବଧାନରେ କୃଷି ରଥ କାର୍ଯ୍ୟକ୍ରମ ବଲାଙ୍ଗୀରରେ ପରିଚାଳିତ ହୋଇଛି । ଆଜି କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରୁ ଏହି ଯୋଜନାର ଶୁଭାରମ୍ଭ ହୋଇଛି । ଏହା ପ୍ରତି ପଞ୍ଚାୟତରେ ପହଞ୍ଚି ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ଯୋଗାଇ ଦିଆଯାଇଥିବା ବିଭିନ୍ନ କୃଷି ସମ୍ବନ୍ଧୀୟ ଯୋଜନା ସମ୍ପର୍କରେ ନାଚ ଗୀତ ପଥପ୍ରାନ୍ତ ନାଟକ ଓ ଅଭିନୟ ମାଧ୍ୟମରେ ସଚେତନତା ସୃଷ୍ଟି କରିବ ବୋଲି ଷ୍ଟାଗର ନିର୍ଦ୍ଦେଶକ ଗଣେଶ ମହାପାତ୍ର ସୂଚନା ଦେଇଛନ୍ତି । ବିଭିନ୍ନ ସ୍ଥାନର କଳାକାରମାନଙ୍କୁ ନେଇ ଷ୍ଟାଗ ସଚେତନତା କାର୍ଯ୍ୟକ୍ରମ ପରିଚାଳନାକରି ସଚେତନ ସୃଷ୍ଟି କରିବା ଦିଗରେ ସହାୟକ ହୋଇପାରିଛି । ରାଜ୍ୟ ସରକାର, କୃଷି ବିଭାଗ ଓ ଷ୍ଟାଗର କାର୍ଯ୍ୟକ୍ରମ, ଅଞ୍ଚଳର ଚାଷୀଙ୍କ ମଧ୍ୟରେ କୃଷି ଓ କୃଷକ କଲ୍ୟାଣ ଯୋଜନାର ପ୍ରକୃତ ଉଦ୍ଦେଶ୍ୟ ସାଧନ ଦିଗରେ ସହାୟକ ହେବ ।