ନରେନ୍ଦ୍ର ପୁଷ୍କରିଣୀରେ ଅଭାବନୀୟ ଘଟଣା,ବୁଡିଯାଇ ଦୁଇଜଣ ଯୁବକଙ୍କ ମୃତ୍ୟୁ

ପୁରୀ : ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ଅଭାବନୀୟ ଘଟଣା । ନରେନ୍ଦ୍ର ପୁଷ୍କରିଣୀରେ ଗାଧୋଉଥିବା ସମୟରେ ବୁଡିଯାଇ ଦୁଇଜଣ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଦୁଇଜଣ ଯୁବକ ସମ୍ପର୍କୀୟ ଭାଇ ବୋଲି ଜଣାପଡିଛି । ମୃତ ଦୁଇ ଯୁବକ ହେଉଛନ୍ତି ଗଞ୍ଜାମ କୁକୁଡାଖଣ୍ଡିର ରାଜକିଶୋର ଶତପଥୀ ଏବଂ ଇଚ୍ଛାପୁରର ନଳିନୀକାନ୍ତ ତ୍ରିପାଠୀ । ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଦୁଇ ମୃତଦେହକୁ ଉଦ୍ଧାର କରିଥିବା ବେଳେ ଶବ ବ୍ୟବଛେଦ ପାଇଁ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି କୁମ୍ଭାରପଡ଼ା ଥାନା ପୋଲିସ । ତେବେ ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ ଏକ ଦଶାହ କାର୍ଯ୍ୟ ରେ ଯୋଗ ଦେବା ପାଇଁ ପରିବାର ସହ ଏହି ଦୁଇ ଯୁବକ ନରେନ୍ଦ୍ର ପୋଖୋରୀକୁ ଆସିଥିଲେ । ତେବେ ବାହାରୁ ଆସିଥିବାରୁ ନରେନ୍ଦ୍ର ପୋଖରୀ ସମ୍ପର୍କରେ ତାଙ୍କର କୌଣସି ଜ୍ଞାନ ନ ଥିଲା । ସମାନେ ଗଭୀର ପାଣିକୁ ଚାଲିଯାଇଥିଲେ । ଫଳରେ ପାଣିରେ ବୁଡିଯାଇ ମୃତ୍ୟୁ ବରଣ କରିଛନ୍ତି । ଗତ କିଛିଦିନ ତଳେ ଲଘୁଚାପ ବର୍ଷା ଯୋଗୁ ପୋଖୋରୀରେ ବହୁତ ପାଣିଥିଲା । ନରେନ୍ଦ୍ର ପୋଖୋରୀର ଗଭୀରତା ଅଧିକ ରହିଚି । ଏ ସମ୍ପର୍କରେ ଦୁଇ ଜଣ ଯୁବକଙ୍କ ପାଖରେ ସୂଚନା ନଥିଲା । ଏଣୁ ଅଧିକ ପାଣି ଭିତରକୁ ଚାଲିଯିବାରୁ ଅକାଳରେ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଛି । ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବାହିନୀ ବହୁ ସମୟ ଧରି ଖୋଜାଖୋଜି କରିବା ପରେ ନରେନ୍ଦ୍ର ପୁଷ୍କରିଣୀରୁ ଦୁଇ ଭାଇଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ତେବେ ଏଭଳି ଅଭାବନୀୟ ଘଟଣାକୁ ନେଇ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିବାବେଳେ ସଦର ମୁଖ୍ୟ ଚିକିତ୍ସାଳୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ସେପଟେ ନରେନ୍ଦ୍ର ପୁଷ୍କରିଣୀରେ ଅନେକ ଭକ୍ତ, ପର୍ଯ୍ୟଟକ ସ୍ନାନ କରିବା ପାଇଁ ଆସୁଥିବା ବେଳେ ପୋଖରୀରେ କୌଣସି ସତର୍କ ସୂଚନା ଥିବା ଫଳକ ନାହିଁ । ଏହା ଫଳରେ ଅନେକ ଭକ୍ତ, ପର୍ଯ୍ୟଟକ କେଉଁ ସ୍ଥାନରେ ଗାଧୋଇବା ସେ ନେଇ ଜାଣି ପାରୁନାହାନ୍ତି । ପୂର୍ବରୁ ମଧ୍ୟ ଅନେକ ଅଘଟଣ ଘଟିଛି । ହେଲେ ଦୁର୍ଭାଗ୍ୟର ବିଷୟ ପୁରୀ ଜିଲା ପ୍ରଶାସନର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁନି । ତୁରନ୍ତ ଭକ୍ତ, ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ନରେନ୍ଦ୍ର ପୁଷ୍କରିଣୀରେ ସୂଚନା ଫଳକ ସହ ଲାଇଫ ଗାର୍ଡ, ପୋଲିସ୍ ମୁତୟନ ପାଇଁ ସଧାରଣରେ ଦାବି ହୋଇଛି ।

Comments (0)
Add Comment