ଘୁ.ଉଦୟଗିରି:- ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦର ୬ ନମ୍ୱର ୱାର୍ଡ଼ କାଉନସିଲର ନିମନ୍ତେ ହେବାକୁ ଥିବା ଉପନିର୍ବାଚନରେ ଆଜି ଶେଷ ଦିନରେ ଶାସକ ଦଳ ବିଜେଡି ତରଫରୁ କାଉନସିଲର ଆସନ ନିମନ୍ତେ ଆଶାୟୀ ପ୍ରାର୍ଥୀନୀ ଶ୍ରୀମତୀ ସିଦ୍ଧେଶ୍ୱରି ନାୟକ, ଘୁ.ଉଦୟଗିରି ବିଜେଡି ନଗର ସଭାପତି ଗୋପାଳ କୃଷ୍ଣ ମହାପାତ୍ର, ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଭାନୁପ୍ରଭା ମିଶ୍ର,ଉପାଧ୍ୟକ୍ଷ ସନ୍ତୋଷ କୁମାର ବାଘ, ବିଜେଡିର ସମସ୍ତ କାଉନସିଲର, ବିଧାୟକ ପ୍ରତିନିଧି ଅନିଲ କୁମାର ଦଳବେହେରା, ବିଜେଡି ନଗର କମିଟିର ସଦସ୍ୟ ଦେବନାଥ ଦଳବେହେରା, ସମୀର କୁମାର ପାଢ଼ୀ, ଆମୋଦ ଚନ୍ଦ୍ର ନାୟକ, ସୁଶୀଳ ପାଣିଗ୍ରାହୀ, ଅନ୍ୟ ଦଳୀୟ କର୍ମୀ ଙ୍କ ସମେତ ନିଜ ସମର୍ଥକଙ୍କ ସହ ସ୍ଥାନୀୟ କାଳୀ ମନ୍ଦିରରେ ମାଁ କାଳୀଙ୍କ ଆଶୀର୍ବାଦ ନେଇ ସେଠାରୁ ବାଜା ବାଜଣା ସହ ଚାଲି ଚାଲି ୬ ନମ୍ବର ୱାର୍ଡ ଦେଇ ଏନଏସି କାର୍ଯ୍ୟାଳୟ ଯାଇ ନିର୍ବାଚନ ଅଧିକାରୀ ଶୁଭ୍ରାଂଜଳି ପ୍ରଧାନଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଏହି ସମୟରେ ବିଜୁ ଜନତା ଦଳର କନ୍ଧମାଳ ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକ ଆଶାୟୀ ପ୍ରାର୍ଥୀନୀଙ୍କୁ ଦଳୀୟ ଟିକେଟ ଦେବା ସହ ଉପସ୍ଥିତ ରହି ଆଶାୟୀ ପ୍ରାର୍ଥୀନୀ ଓ କର୍ମୀଙ୍କୁ ଉତ୍ସାହିତ କରିଥିଲେ । ସେପଟେ କଂଗ୍ରେସ ଦଳ ତରଫରୁ ଆଶାୟୀ ପ୍ରାର୍ଥୀ କୁଞ୍ଜବିହାରୀ ନାୟକ ନିଜ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଏହି ସମୟରେ ପୂର୍ବତନ ବିଧାୟିକା ଶ୍ରୀମତୀ ଅଜୟନ୍ତୀ ପ୍ରଧାନ, ରାଜୀବ ଗାନ୍ଧୀ ପଞ୍ଚାୟତରାଜ୍ ସଭାପତି ପ୍ରତାପ ପ୍ରଧାନ, ସ୍ଥାନୀୟ ୮ନମ୍ୱର୍ ୱାର୍ଡ କାଉନସିଲରଯାକେଶ ପ୍ରଧାନ, ବ୍ଲକ ସଭାପତି ସଦାନନ୍ଦ ନାୟକ, ଡିସିସି ଉପସଭାପତି ସନ୍ତୋଷ ପଟ୍ଟନାୟକ, ଜିଖରୀୟ ନାୟକ, ମହାପତି ନାୟକ,ସମିତି ମେମ୍ବର ଉମେଶ ପ୍ରଧାନ, ହିରେନ୍ ନାୟକ, ବୁଲୁ ନାୟକ ଉପସ୍ଥିତ ରହିଥିଲେ । ଶେଷ ଦିନ ପର୍ଯ୍ୟନ୍ତ ସମୁଦାୟ ୪ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଚଳିତ ମାସ ୩୦ ତାରିଖ ଦିନ ନାମାଙ୍କନ ପତ୍ର ଯାଞ୍ଚ ପ୍ରକ୍ରିୟା ହୋଇ ଜାନୁଆରୀ ୨ ତାରିଖ ଦିନ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରାଯିବା ନେଇ ସୂଚନା ମିଳିଛି ।