ପୁରୀ : ବିଶ୍ୱକର୍ମାଙ୍କ ହାତର ସ୍ପର୍ଶରେ ଜାରି ରହିଛି ଦିବ୍ୟ ରଥନିର୍ମାଣ କାର୍ଯ୍ୟ । ସରିଛି ସୁତାବାଡ଼ିଆ,ଜାରି ରହିଛି ବିନ୍ଧ କାର୍ଯ୍ୟ । ତୁମ୍ବରେ ଅରସଂଯୋଗ ପାଇଁ ପ୍ରତ୍ୟେକ ତୁମ୍ବରେ କରାଯିବ ୧୬ଯୋଡ଼ା ବିନ୍ଧ । ପ୍ରତିକୂଳ ପରିସ୍ଥିତି ସତ୍ତେ୍ୱ୍ୱ ଜୋରସୋରରେ ଜାରି ରହିଛି ରଥନିର୍ମାଣ କାର୍ଯ୍ୟ । ଗତ ତିନିଦିନ ଭିତରେ କାଳବୈଶାଖୀ ଏବଂ ଅସହ୍ୟ ଗୁଳୁଗୁଳି ସତ୍ତେ୍ୱ ଶତ ପ୍ରତିଶତ ରଥନିର୍ମାଣ ସେବାୟତଙ୍କ ଉପସ୍ଥିତିରେ ସୁରୁଖୁରୁରେ ଚାଲିଛି ନିର୍ମାଣ କାର୍ଯ୍ୟ । ତୁମ୍ବରେ ୧୬ଟି ଅର ସଂଯୋଗ ପାଇଁ ହେବ ୧୬ଯୋଡ଼ା ବିନ୍ଧ । ଏହାପରେ ବିନ୍ଧରେ ତ୍ରୁଟି ଥିଲେ ସଂଶୋଧନ ପାଇଁ ହୁଏ ଅଗରବିନ୍ଧ ।ଆବଶ୍ୟକତା ଅନୁଯାୟୀ ସେଥିରେ ହେବ ନିହଣମରା କାର୍ଯ୍ୟ । ଆଗାମୀ ନୃସିଂହ ଚତୁର୍ଦ୍ଦଶିରେ ଭୋଇ ସେବାୟତ ମାନେ ଯନ୍ତାଗାଡ଼ କରିବା ସହ ଅର ସଂଯୋଗ ଓ ସିଙ୍ଗଡ଼ା ବାଡ଼ିଆ କରିବେ । ସେହିଦିନ ଠାରୁ ରଥଖଳାରେ ପ୍ରବେଶ କରିବେ ରୂପକାର ଏବଂ ଅନୁକୂଳ ହେବ କୋଣଗୁଜ ।
ସେପଟେ ତିନିରଥର ମୁଖ୍ୟ ମହାରଣାଙ୍କ ଦ୍ୱାରା ତୁମ୍ବ ବିନ୍ଧ ଅନୁକୂଳ ପୂଜା ସମ୍ପନ୍ନ ପରେ ଶୁକ୍ରବାର ଠାରୁ ତିନି ରଥର ମୋଟ ୪୨ଗୋଟି ତୂମ୍ବରେ ବିନ୍ଧ କାର୍ଯ୍ୟ ମହାରଣା ସେବକ ମାନେ ଆରମ୍ଭ କରିଥିଲେ । ପ୍ରତି ତୁମ୍ବ ପାଇଁ ଆବଶ୍ୟକ ଥିବା ୧୬ ଯୋଡ଼ା ବିନ୍ଧରୁ ତିନିରଥର ଅଧିକାଂଶ ତୁମ୍ବ ଗୁଡିକରେ ବିନ୍ଧ କାର୍ଯ୍ୟ ଶେଷ ହୋଇଛି । ରଥଖଳାରେ ତାଳଧ୍ୱଜ ରଥର ମୋଟ ୧୪ ଗୋଟି ତୁମ୍ବରୁ ଦେବଦଳନ ରଥର ୧୨ ତୁମ୍ବର ଏବଂ ନନ୍ଦିଘୋଷ ରଥର ୧୬ ଗୋଟି ତୁମ୍ବର ବିନ୍ଧ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସେପଟେ ଦୋଳବେଦୀ ସ୍ଥିତ ଅସ୍ଥାୟୀ କମାର ଶାଳରେ ତିନିରଥର ଓଝା ବା କମାର ସେବକ ମାନେ ପ୍ରତି ରଥର ପ୍ରାୟ ୬ /୬ ଟି ତୁମ୍ବ ପାଇଁଆବଶ୍ୟକୀୟ ଅର କଣ୍ଟା ପ୍ରସ୍ତୁତ ଶେଷ କରି ବାକି ତୁମ୍ବ ଗୁଡିକ ପାଇଁ ଅର ଅଣ୍ଟା ପ୍ରସ୍ତୁତ ସହ ତୁମ୍ବ ପାଇଁ ପନ୍ଦାରି ବଳା ନିର୍ମାଣ ଆରମ୍ଭ କରିଛନ୍ତି । ସେପଟେ ରଥଖଳା ବାହାରୁ ରଥଖଳାରେ ଚାଲିଥିବା ପାରମ୍ପରିକ ପଦ୍ଧତିରେ ନିର୍ମାଣ କାର୍ଯ୍ୟକୁ ଦେଖି ବିଭୋର ହୋଇଛନ୍ତି ଭକ୍ତ ଶ୍ରଦ୍ଧାଳୁ । ଭାଗ୍ୟରେ ଥିବାରୁ ଏ ଦୃଶ୍ୟ ଦେଖିବାକୁ ମିଳୁଛି ବୋଲି କହିଛନ୍ତି ଭକ୍ତ । ଆଗାମୀ ଭଉଁରୀରେ ପ୍ରତି ରଥର ଦୁଇଟି ଲେଖାଏଁ ଚକ ପ୍ରସ୍ତୁତ ହୋଇ ଚକ ଡେରା ନୀତି ହେବ । ସେଥିପାଇଁ ସିଙ୍ଗଡ଼ା ବାଡ଼ିଆ ପରେ ବିଲେଇ ବାଡ଼ିଆ ପଦ୍ଧତିରେ ହେବ ଚକ ନିର୍ମାଣ କାର୍ଯ୍ୟ ।