ଖପ୍ରାଖୋଲ : ମାଓ ଅଧ୍ୟୁଷିତ ଅଞ୍ଚଳରେ ଜନସାଧାରଣ ପୋଲିସର ବିଶ୍ୱାସ ଭାଜନ ହେବା ସହିତ ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବା ପାଇଁ ଲାଠୋର ପୋଲିସ ପକ୍ଷରୁ ଲାଠୋର ଥାନା ବେନ୍ଦେର ଗ୍ରାମର ଉନ୍ନତ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଥାନା ଅଧିକାରୀ ଝସକେତନ ଭୋଇଙ୍କ ନେତୃତ୍ୱରେ ଏକ ଜନ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଜନସମ୍ପର୍କ ଶିବିରରେ ୟୁଥ ବ୍ଲଡ଼ ଡୋନର ଗ୍ରୁପ ବାଲାଙ୍ଗୀର ଓ ମହାନଦୀ ନେତ୍ରାଳୟର ସହଯୋଗରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର କରାଯାଇଥିଲା । ଏହି ଶିବିରରେ ମହାନଦୀ ନେତ୍ରାଳୟରୁ ଡାକ୍ତର ବିକାଶ କୁମାର ମେହେର, ମାନସ ପାଢୀ ଏବଂ ବ୍ଲଡ ଡୋନର ଗୃପର ଅକ୍ଷୟ ପ୍ରଧାନ, ସ୍ୱାଗତ ସାହୁ, ସୁଶାନ୍ତ ପ୍ରଧାନ, ଅଭିଳାଷ ଭୋଇ, ତେଜୁ ମାଝି, ପୁରନ୍ଦର ବନଛୋର, ସୋଭାକର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ସେହିପରି ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଦ୍ୱାରା ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ୧୫୦ ଜଣ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ପାଠ୍ୟ ଉପକରଣ ପ୍ରଦାନ କରିଥିବା ବେଳେ ଏହି ଅବସରରେ ୧୦୦ରୁ ଅଧିକ ବୃଦ୍ଧାବୃଦ୍ଧ ମାନଙ୍କୁ କମ୍ବଳ, ଛତା, ମଶାରି, ଘଣ୍ଟା, ଟର୍ଚ୍ଚ ଲାଇଟ ବଣ୍ଟନ କରାଯାଇଥିଲା । ଏହି ଶିବିରରେ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ତେଜରାଜ ମାଝୀ ଯୋଗଦେଇ ଯୋଗ୍ୟ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା ସହିତ ଖାଉଟି କାର୍ଡ ଯୋଗାଇ ଦେବାକୁ କହିବା ସହିତ ପୋଲିସକୁ ଜନସାଧାରଣ ସାହାଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ବେନ୍ଦେର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମରୁ ଲୋକେ ପହଂଚି ହାତ ପାହାନ୍ତାରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ପାଇଥିବାରୁ ପୋଲିସ ପ୍ରାଶାସନଙ୍କୁ ପ୍ରଶଂସା କରିଥିଲେ । ଏହି ଅବସରରେ ୬ଟି ଦଳ ମଧ୍ୟରେ ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ବେନ୍ଦେର ଦଳ ଚହକପଡା ଦଳକୁ ପରାସ୍ତ କରି ବିଜୟୀ ହୋଇଥିଲେ । ବିଜେତା ଓ ଉପ ବିଜେତା ଦଳକୁ ଲାଠୋର ଥାନାଧିକାରୀଙ୍କ ଦ୍ୱାରା ଟ୍ରଫି, ନଗଦ ଅର୍ଥ ଓ ଖେଳ ସରଞ୍ଜାମ ଦେଇ ପୁରସ୍କୃତ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଲାଠୋର ଏଏସ ଆଇ ଦେବାର୍ଚ୍ଚନ ମିର୍ଦ୍ଧା ସମେତ ପୋଲିସ କର୍ମଚାରୀମାନେ ସାମିଲ ଥିଲେ ।