ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀରେ ବିଜେଡ଼ିର ୨୬ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ବାଲିଗୁଡ଼ା ବ୍ଲକ୍ ସଭାପତି ତଥା ସାଂସଦ ପ୍ରତିନିଧି ଟୁନା ଦାସଙ୍କ ନେତୃତ୍ୱରେ ଆଜି ମହାସିଙ୍ଗି ନିକଟସ୍ଥ କିମ୍ସ ପଡ଼ିଆରେ ବିଜେଡ଼ି ପାଳିଛି ପ୍ରତିଷ୍ଠା ଦିବସ । ଏହି ଅବସରରେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ, କନ୍ଧମାଳ ପ୍ରଭାରୀ ବିଜୟ ନାୟକ, ବାଲିଗୁଡ଼ା ବିଧାୟକ ଚକ୍ରମଣୀ କହଁର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ, ଜିଲ୍ଲା ବିଜେଡ଼ି ସଭାପତି ସରୋଜ କର୍ଣ୍ଣ, ଏନ୍ଏସି ଅଧ୍ୟକ୍ଷ ଗୋବିନ୍ଦ ପ୍ରଧାନ, ଉପାଧ୍ୟକ୍ଷ ଶାନ୍ତିଲତା ନାୟକ, ପୁର୍ବତନ ବିଧାୟକ ରାଜୀବ ପାତ୍ର, ତୁମୁଡ଼ିବନ୍ଧ ବ୍ଲକ୍ ସଭାପତି ପ୍ରମୋଦ କୁମାର ସାହୁ, କୋଟଗଡ଼ ବ୍ଲକ୍ ସଭାପତି ସ୍ଟିଫେନ୍ ପ୍ରଧାନ,କ.ନୁଆଗାଁ ବ୍ଲକ୍ ସଭାପତି ସହଦେବ ପାତ୍ରଙ୍କ ସମେତ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ସମସ୍ତ ବ୍ଲକ୍ ସ୍ତରୀୟ ନେତା ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ପନ୍ଦର ହଜାରରୁ ଉର୍ଦ୍ଧ୍ୱ କର୍ମୀଙ୍କ ସମାଗମ ହୋଇଥିଲା । ଆପଣଙ୍କ ଆଶିର୍ବାଦରେ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ପୁଣି ଥରେ ବିପୁଳ ସଂଖ୍ୟାରେ ବିଜେଡ଼ି ଜିତିବ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଯୋଗୁଁ ଆଜି ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି ହୋଇପାରିଛି ବୋଲି କହିଛନ୍ତି ସାଂସଦ । ଅନ୍ୟପଟେ ଦରଦାମ୍ ବୃଦ୍ଧି,ବେକାରୀ ଯୁବକମାନଙ୍କୁ ନିଯୁକ୍ତି ଓ କଳାଧନ ଫେରେଇ ଆଣିବା ପ୍ରସଙ୍ଗ ନେଇ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ଜିଲ୍ଲା ପର୍ଯ୍ୟବେକ୍ଷକ । ଏଥିସହ ମୁଖ୍ୟମନ୍ତ୍ରୀଙ୍କ ସମସ୍ତ ଯୋଜନା ତୃଣମୂଳ ସ୍ତରରେ ପହଞ୍ଚାଇବା ସହ ଲୋକଙ୍କୁ ଯୋଜନାର ଉପକାରିତା ବିଷୟରେ ବୁଝାଇବୁ । ସବୁ ବର୍ଗର ଲୋକେ କିଭଳି ଏହାର ସୁଫଳ ପାଇପାରିବେ ସେଥିପ୍ରତି ଦୃଷ୍ଟି ଦେବୁ ଓ ତୃଣମୂଳ ସ୍ତରରୁ ସଂଗଠନକୁ ଆହୁରି ସୁଦୃଢ଼ କରିବାସହ ଆଗାମୀ ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ହାସଲ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବାକୁ ଆଜି ସଂକଳ୍ପ ନେଇଛୁ ବୋଲି କହିଛନ୍ତି ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକ । ସେପଟେ ଯେତେବେଳେ ନିର୍ବାଚନ କରାଗଲେ ମଧ୍ୟ ଆମେ ପ୍ରସ୍ତୁତ ଅଛୁ ବୋଲି କହିଛନ୍ତି ସାଂସଦ ପ୍ରତିନିଧି ଟୁନା ଦାସ ।