ପିକ୍‌ଅପ୍‌ ଭ୍ୟାନ ଓ ବାଇକ ମଧ୍ୟରେ ଧକ୍କା,ଚାଲିଗଲା ୨ ଭାଇର ଜୀବନ

ରାୟଗଡା: ରାୟଗଡା ଜିଲ୍ଳାରେ ଗତ କିଛି ମାସ ମଧ୍ୟରେ ବୃଦ୍ଧି ପାଇବାରେ ଲାଗିଛି ସଡକ ଦୁର୍ଘଟଣା । ଆଉ ଏହି ସଡକ ଦୁର୍ଘଟଣାରେ ଅକାଳରେ ଚାଲି ଯାଉଛି ଜୀବନ । ଆଜି ଅପରାହ୍ନରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଯାଇଛି ଦୁଇଟି ପରିବାରର ଦୁଇ ପୁତ୍ରଙ୍କ ଜୀବନ । ରାୟଗଡା ଜିଲ୍ଳା ଚାନ୍ଦିଲି ଥାନା ଅନ୍ତର୍ଗତ ଗେଟିପଡା ଗ୍ରାମ ନିକଟରେ ଏକ ପିକ୍‌ଅପ୍‌ ଭ୍ୟାନ (ଓଡି୧୮ଜି ୦୭୫୫) ଓ ବାଇକ୍‌ (ଓଡି୧୮କେ ୫୫୭୨) ମଧ୍ୟରେ ଧକ୍କା ହେବା ଫଳରେ ବାଇକରେ ବସିଥିବା ୨ଭାଇଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ମୃତକ ଦୁଇ ଭାଇ ହେଲେ ମନୋଜ ବେନିଆ (୨୫) ଓ ପୁଲୁ ବେନିଆ (୨୧) । ତାଙ୍କ ଘର କୋଲନରା ବ୍ଳକ କାର୍ଲାକଣା ଗ୍ରାମ ପଂଚାୟତ ଅନ୍ତର୍ଗତ ରାମପୁର ଗ୍ରାମର ବୋଲି ଜଣାପଡିଛି । ଘଟଣାସ୍ଥଳରେ ମୃତ ୨ଭାଇକଙ୍କ ଶବ ରଖି ପରିବାରବର୍ଗ ଓ ଗ୍ରାମବାସୀମାନେ ରାସ୍ତା ଅବରୋଧ କରି କ୍ଷତିପୂରଣ ଦାବି କରୁଥିବା ବେଳେ ରାୟଗଡା–କଲ୍ୟାଣସିଂହପୁର ମୁଖ୍ୟ ରାସ୍ତାରେ ଦୀର୍ଘ ଘଂଟା ଧରି ଟ୍ରାଫିକ୍‌ ସମସ୍ୟା ଉପୁଜିଥିଲା । ଉଭୟ ପଟରେ ଅନେକ ଯାନବାହନ ଠିଆ ହୋଇ ରହିଥିବା ବେଳେ ଘଟଣାସ୍ଥଳରେ ଚାନ୍ଦିଲି ଥାନା ପୋଲିସ ପଂହଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଦୁର୍ଘଟଣା ଘଟାଇ ଚାଲି ଯାଇଥିବା ପିକ୍‌ଅପ୍‌ ଭ୍ୟାନକୁ ଦୁନ୍ଦିଲି ନିକଟରେ ଧରିଥିବା ଜଣାପଡିଛି ଏବଂ ଶବ ବ୍ୟବଚ୍ଛେଦ ନିମନ୍ତେ ରାୟଗଡା ଜିଲ୍ଳା ମୁଖ୍ୟ ଚିିକିତ୍ସାଳୟକୁ ପଠାଇଛନ୍ତି । ମିଳିଥିବା ସୂଚନା ପ୍ରକାରେ ରାମପୁର ଗ୍ର୍ରାମର ମନୋଜ ଓ ପୁଲୁ ଦୁହେଁ ସଂର୍ପକୀୟ ଭାଇ । ଦୁହେଁ ଜେକେପୁରରେ କାର୍ଯ୍ୟ ସାରି ଅପରାହ୍ନରେ ନିଜ ବାଇକ୍‌ ଯୋଗେ ଘରକୁ ଫେରୁଥିଲେ । ସ୍ଥାନୀୟ ଗେଟିପଡା ବ୍ରିଜ ନିକଟରେ ଏକ ପିକ୍‌ଅପ୍‌ ଭ୍ୟାନ ଦ୍ରୁତଗତିରେ ଆସି ତାଙ୍କୁ ଧକ୍କା ଦେଇଥିବାରୁ ଘଟଣାସ୍ଥଳରେ ବାଇକରୁ ଦୁଇ ଭାଇ ଛିଟିକି ରାସ୍ଥା ଉପରେ ପଡିଥିଲେ । ଫଳରେ ଦୁଇଭାଇ ଗୁରୁତର ଆହାତ ହୋଇଥିବା ବେଳେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିବା ସ୍ଥାନୀୟ ଅଂଚଳବାସୀ ପ୍ରକାଶ କରିଥିଲେ । ଦୁର୍ଘଟଣା ଘଟାଇ ପିକଅପ୍‌ ଭ୍ୟାନ ଡ୍ରାଇଭର ଗାଡିକୁ ନେଇ ଆଗକୁ ଚାଲି ଯାଉଥିବା ବେଳେ ଦୁନ୍ଦିଲି ନିକଟରେ ଗାଡିକୁ ଉଦ୍ଧାର କରାଯାଇଥିଲା । ତେବେ ଗାଡି ଡ୍ରାଇଭର ସେଠାରୁ ଫେରାର ହୋଇଯାଇଥିବା ଜଣାପଡିଛି । ଘଟଣାକୁ ନେଇ ଗ୍ରାମବାସୀ ପକ୍ଷରୁ ଗେଟିପଡା ଠାରେ ରାସ୍ତା ଅବରୋଧ କରାଯାଇ କ୍ଷତିପୂରଣ ଦାବି କରାଯାଇଛି ।

Comments (0)
Add Comment