ପ୍ରାଥମିକ ଶିକ୍ଷକଙ୍କ ଧାରଣାରେ ସାମିଲ ହେଲେ ଓଷ୍ଟା କର୍ମକର୍ତ୍ତା

ନୂଆପଡ଼ା : ନୂଆପଡ଼ା ସାରା ରାଜ୍ୟରେ ପ୍ରାଥମିକ ଶିକ୍ଷକ ସଂଘର ଆନ୍ଦୋଳନ ଜୋର ଧରିଥିବା ବେଳେ ସିନାପାଲିରେ ମଧ୍ୟ ଜାରି ରହିଛି । ତିନିଦଫା ଦାବିରେ ସିନାପାଲି ବିଇଓ ଅଫିସ୍‌ ସମ୍ମୁଖରେ ସଂଘର କର୍ମକର୍ତ୍ତାଙ୍କ ସହ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଧାରଣାରେ ବସିଥିବା ବେଳେ ଆଜି ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘର ନୂଆପଡା ଜିଲ୍ଲା ସାଧାରଣ ସଂପାଦକ ରବିନ୍ଦ୍ରନାଥ ଯୋଷୀ, ରାଜକୁମାର ତାଣ୍ଡି, ନବକିଶୋର ଆଚାର୍ଯ୍ୟ, ନିରାକାର ସାହୁ ଏହି ଧାରଣାରେ ସାମିଲ ହୋଇ ଶିକ୍ଷକଙ୍କୁ ଉତ୍ସାହିତ କରିଥିଲେ । ଶିକ୍ଷକଙ୍କ ଧାରଣା ଯୋଗୁଁ ପ୍ରାଥମିକ ଶିକ୍ଷା ଗୋଟିଏ ପ୍ରକାର ଠପ ହୋଇ ପଡିଥିବା ବେଳେ ଏନେଇ ଆମେ ସିନାପାଲି ବିଇଓଙ୍କୁ ପଚାରିବାରୁ ବ୍ଲକର ମୋଟ ୧୬୯ଟି ପ୍ରାଥମିକ ବିଦ୍ୟାଳୟର ୫୮୦ ଶିକ୍ଷକଙ୍କ ମଧ୍ୟରୁ ପ୍ରାୟ ୫୦୦ ଶିକ୍ଷକଶିକ୍ଷୟିତ୍ରୀ ଆନ୍ଦୋଳନରେ ବସି ଥିବା କହିଛନ୍ତି । ବିଇଓଙ୍କ କହିବା ଅନୁସାରେ ଶିକ୍ଷକଙ୍କ ଧାରଣା ଯୋଗୁଁ ୭୯ଟି ବିଦ୍ୟାଳୟ ସଂପୂର୍ଣ୍ଣ ଭାବରେ ବନ୍ଦ ରହିଛି । ଏହି ତଥ୍ୟ ଯଦି ସଠିକ୍‌ ଥାଏ ତେବେ ଖୋଳା ଥିବା ଅନ୍ୟ ୯୦ଟି ବିଦ୍ୟାଳୟରେ ବଳକା ପ୍ରାୟ ୮୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ କିଭଳି ପାଠ ପଢାଉଥିବେ କିମ୍ବା ମଧ୍ୟାହ୍ନ ଭୋଜନ ସମ୍ଭାଳୁଥିବେ ତାହା ସମସ୍ତଙ୍କ ପାଇଁ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆଜିର ଧାରଣାକୁ ସଂଘ ସଂପାଦକ ବାଲାଜୀ ହରିଜନ ସମସ୍ତଙ୍କୁ ସ୍ୱାଗତ କରିଥିବା ବେଳେ ସଭାପତି ପ୍ରସନ୍ନ ମାଝୀ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହା ପରେ ଶିକ୍ଷୟିତ୍ରୀ ସନ୍ତୋଷୀନୀ ମେହେର ଓ ପୁଷ୍ପାଞ୍ଜଳୀ ମେହେର ପ୍ରାର୍ଥନା ଗାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହେଶ୍ୱର ଗୁଆଲ, ଅସ୍ମିତା ପାଢ଼ୀ, ତରୁଣ କୁମାର ମେହେର, ସୁନାମା ପଣ୍ଡା, ଶିବ ପ୍ରସାଦ ମେହେର ପ୍ରମୁଖ ଉଦବୋଧନ ଦେଇଥିଲେ । ଲୋଚନ ମେହେର ସଭା ପରିଚାଳନା କରିଥିଲେ । ରାଜ୍ୟ ସରକାର ଦାବି ପୂରଣ ନକଲା ଯାଏଁ ଧାରଣା ଜାରି ରହିବ ବୋଲି ଶିକ୍ଷକମାନେ ଏ ଅବସରରେ ଦୃଢକ୍ତି ପ୍ରକାଶ କରିଛନ୍ତି ।

Comments (0)
Add Comment