ପୁରୀ :ବୁଧବାର ପୁରୀ ସହରରେ ଗୋଷାଣୀ ଯାତକୁ ନେଇ ଉତ୍ସବ ମୁଖର ହୋଇଥିଲା ଶ୍ରୀକ୍ଷେତ୍ର । ଶାରଦୀୟ ଦୁର୍ଗାପୂଜାରେ ପୂଜା ପାଇଥିବା ଗୋଷାଣୀ ମୂର୍ତ୍ତିଙ୍କ ସହ ନାଗା ମୂର୍ତ୍ତି ଗୁଡ଼ିକର ବୁଧବାର ଭଷାଣୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ସାହିରେ ପୂଜା ପାଉଥିବା ମୂର୍ତ୍ତି ଗୁଡିକୁ ଅପରାହ୍ନରେ ସାହି ପରିକ୍ରମା କରାଯିବା ପରେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖକୁ ଅଣାଯାଇଥିଲା । ପରମ୍ପରା ଅନୁଯାୟୀ ଦେବ ସଭାରେ ସବୁ ମୂର୍ତ୍ତି ଏକତ୍ରିତ କରଯାଇଥିଲା । ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଏକାଦଶୀ ମହାଦୀପ ଉଠିବା ପରେ ଦେବ ସଭାରୁ ସବୁ ଗୋଷାଣୀ ଓ ନାଗା ମୂର୍ତ୍ତି ଗୁଡ଼ିକୁ ଭଷାଣୀ ପାଇଁ ପୁଷ୍କରିଣୀକୁ ନିଆଯାଇଥିଲା । ତେବେ ଏହି ଗୋଷାଣୀ ଯାତ୍ରା ଦେଖିବାକୁ ଲୋକାରଣ୍ୟ ହୋଇ ପଡିଥିଲା ବଡ ଦାଣ୍ଡ । ହଜାର ହଜାର ଭକ୍ତ, ଜଗନ୍ନାଥ ପ୍ରେମୀଙ୍କ ସହ ପୁରୀ ବାସିନ୍ଦା ଆସି ଦେବ ସଭାରେ ମେଲାଣି ନେଉଥିବା ମାଙ୍କ ଦର୍ଶନ କରିଥିଲେ । ତେବେ ଗୋଷାଣୀ ଯାତ୍ରାର ଭଷାଣ ଉତ୍ସବକୁ ଶାନ୍ତି ଶୃଙ୍ଖଳାରେ ଶେଷ କରିବା ପାଇଁ ପୁରୀ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଥିଲା । କୌଣସି ଅପ୍ରୀତିକର ପରିସ୍ଥିତି ଯେପରି ନ ଉପୁଜେ ସେଥି ପାଇଁ ବଡ ଦାଣ୍ଡ ସମେତ ପୁରୀ ସହର ସହର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯିବା ସହ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଟ୍ରାଫିକ ବ୍ୟବସ୍ଥା ଶୃଙ୍ଖଳିତ ପାଇଁ ଟ୍ରାଫିକ କଟକଣା ସହ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ମୁତୟନ କରାଯାଇଥିଲା ।