ବୌଦ୍ଧ : ଓଡ଼ିଶାର ସମସ୍ତ ଡ଼୍ରାଇଭର ସଂଘ ରାଜ୍ୟ ସରକାରଙ୍କ ପାଖରେ ଦଶ ଦଫା ଦାବି ନେଇ ବାରମ୍ବାର ଅଭିଯୋଗ କରୁଥିବା ବେଳେ କର୍ଣ୍ଣପାତ କରୁନାହାନ୍ତି ସରକାର ।ତେଣୁ ସମସ୍ତ ଡ଼୍ରାଇଭର ସଂଘ ସରକାରଙ୍କ ବୈମାତୃକ ମନୋଭାବର ଜବାବ୍ ଦେବା ପାଇଁ ଆସନ୍ତା ମାର୍ଚ୍ଚ ମାସ ୧୫ ତାରିଖ ଠାରୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ କରିବା ପାଇଁ ପ୍ରସ୍ତୁତି ଚଳାଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକରେ ଓଡ଼ିଶା ଡ଼୍ରାଇଭର ମହାସଂଘର ସଭାପତି ଅଞ୍ଜନ କୁମାର ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଭଳିଆପଦର ମାହେଶ୍ୱରୀ ମନ୍ଦିର ସମ୍ମୁଖରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଆସନ୍ତା ମାର୍ଚ୍ଚ ମାସ ୧୫ ତାରିଖରେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନକୁ କିପରି ଭାବରେ ଶାନ୍ତି ଶୃଙ୍ଖଳା ସହ କରାଯିବା ତାହା ଉପରେ ଆଲୋଚନା ହୋଇଥିବା ବେଳେ ଦୈନନ୍ଦିନ ଜୀବନ ଜୀବିକା ତଥା ଗୁରୁତ୍ୱପୂର୍ଣ୍ଣ କ୍ଷୀର ଗାଡି, ସ୍କୁଲ ଗାଡି, ପୋଲିସ ସେବା, ଅଗ୍ନି ସେବା ଓ ସମସ୍ତ ଜରୁରୀକାଳୀନ ସେବାକୁ ଏହି ଆନ୍ଦୋଳନରୁ ବାଦ୍ ଦେବାକୁ ନିଷ୍ପତ୍ତି ନିଆଯାଇଥିଲା । ଆଜିର ଏହି ବୈଠକରେ ଓଡ଼ିଶା ଡ୍ରାଇଭର ମହାସଂଘର ଜିଲ୍ଲା ସଭାପତି ବିପିନ ବିହାରୀ ବ୍ରହ୍ମ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ସୁଜିତ୍ କୁମାର ସ୍ୱାଇଁ (ସମ୍ପାଦକ), ସୁଶାନ୍ତ ହୋତା (ସହ ସଂପାଦକ), ବିଶ୍ୱାମିତ୍ର ବିଶି (କୋଷାଧ୍ୟକ୍ଷ) ଯୋଗ ଦେଇଥିଲେ । ଅନ୍ୟପଟେ ଓଡ଼ିଶା ମୋଟର ଚାଳକ ସଂଘର ରାଜ୍ୟ କମିଟି ମେମ୍ବର ଆସ୍ତିକ ନାୟକ, ସଞ୍ଜୟ କୁମାର ନାୟକ (ସଭାପତି),ମହାଦେବ ବେହେରା (ସମ୍ପାଦକ),ରାଜେଶ୍ କୁମାର ମେହେର (କୋଷାଧ୍ୟକ୍ଷ) ପ୍ରମୁଖ ଉପସ୍ଥିତ ଥିଲେ । କଣ୍ଟାମାଳ ବ୍ଲକ ଓଡ଼ିଶା ଡ୍ରାଇଭର ମହାସଂଘର ସଭାପତି ଅଞ୍ଜନ କୁମାର ପଟ୍ଟନାୟକ, କୋଷାଧ୍ୟକ୍ଷ କୁଷଲେଶ୍ୱର ସେଲମା, ଉପଦେଷ୍ଟା ବିକ୍ରମ ସାହୁ ସାମିଲ ଥିବା ବେଳେ କଣ୍ଟାମାଳ ବ୍ଲକର ସମସ୍ତ ଡ୍ରାଇଭର ଭାଇମାନେ ଯୋଗ ଦେଇ ଆନ୍ଦୋଳନକୁ ସଫଳ କରିବା ପାଇଁ ଶପଥ ପାଠ କରିଥିଲେ ।