ଦଶପଲ୍ଲା : ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ଘୁଗୁଡିପଡା ପଞ୍ଚାୟତର ରାଇମଡ଼ା ଓ ଖଳିଘଟି ନିକଟସ୍ଥ ପାହାଡ଼ରେ ମାତିଛନ୍ତି ପଥର ମାଫିଆ । ଅହରହ ପାହାଡ଼ ତାଡ଼ି ଲୁଟି ଚାଲିଛନ୍ତି ଶହଶହ ଟ୍ରିପ୍ ପଥର । ଉକ୍ତ ଅଞ୍ଚଳ ଦଶପଲ୍ଲା ତହସିଲ ଅଧୀନରେ ରହିଥିବା ବେଳେ ଏହା ଗଣିଆ ବନାଞ୍ଚଳର ପ୍ରମୁଖ ଜଙ୍ଗଲ । ଉକ୍ତ ଅଞ୍ଚଳରୁ ମାଫିଆମାନେ ବହୁ ମୂଲ୍ୟବାନ ଗଛକାଟି ଜଙ୍ଗଲ ପଦା କରି ଚାଲିଛନ୍ତି । ଏବେ ପାହାଡ ଉପରେ ଜେସିବି ଓ ହିଟାଚି ଲଗାଇ ପଥର ତାଡ଼ିବା ସହ ତାହାକୁ ଖଣ୍ଡଖଣ୍ଡ କରି ବିକ୍ରି କରାଯାଉଛି । ଏସବୁ ସତ୍ୱେ ବନ ବିଭାଗର ନିଷ୍କ୍ରିୟତା ଆଶ୍ଚର୍ଯ୍ୟର ବିଷୟ ପାଲଟିଛି । ସ୍ଥାନୀୟ ଅଧିବାସୀଙ୍କ ଅଭିଯୋଗ ଅନୁଯାୟୀ, କିଛି ବନ କର୍ମଚାରୀ ମାଫିଆଙ୍କଠାରୁ ମୋଟା ଅଙ୍କର ମୁନାଫା ପାଇ ହାତବାନ୍ଧି ବସୁଛନ୍ତି । ଆଖି ଆଗରେ କାଠ ଓ ପଥର ଚାଲାଣ ହେଉଥିବା ବେଳେ ଜାଣି ଅଜଣା ସାଜୁଛନ୍ତି । ଏପଟେ ୨ ଦିନ ହେଲା ତହସିଲ ପକ୍ଷରୁ ଚଢ଼ଉ କରାଯାଇ ଟ୍ରାକ୍ଟର ଓ ଜେସିବି ଜବତ କରାଯାଇଛି । ଗତକାଲି ଏକ ଟ୍ରାକ୍ଟର ଜବତ କରାଯାଇଥିବା ବେଳେ ୮୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ନଛିପୁର ସର୍କଲ ଆର୍ଆଇ ବିଭୂତି ନାୟକ କହିଛନ୍ତି । ବନ ବିଭାଗର ଉଦାସୀନତା ପାଇଁ ଦିନକୁ ଦିନ ଉକ୍ତ ଅଞ୍ଚଳରୁ ଜଙ୍ଗଲ ଧ୍ୱଂସ ପାଇଚାଲିଥିବା ବେଳେ ଏବେ ପାହାଡ଼ ସବୁ ମାଟିରେ ମିଶିଲାଣି । ଏଥିପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।