ବିଡିସିସି ଅଧକ୍ଷ ନିର୍ବାଚନ : ସ୍ମାରକ ମିଶ୍ର ବାଜି ମାରିଲେ

ବଲାଙ୍ଗୀର: ବଲାଙ୍ଗୀର କେନ୍ଦ୍ରୀ ସମବାୟ ବ୍ୟାଙ୍କ୍‌ ଅଧକ୍ଷ ପଦ ପାଇଁ ଅନୁଷ୍ଠିତ ନିର୍ବାଚନରେ ସ୍ମାରକ ମିଶ୍ର ବିଜୟୀ ହୋଇଛନ୍ତି । ଅର୍ଦ୍ଧାଧିକ ବିଜେଡି ସମର୍ଥୀତ ନିର୍ଦ୍ଦେଶକ ଥିଲେ ସୁଦ୍ଧା ବିଜେଡି ଗଣିତ ବିଗାଡି ଦେଲେ ସ୍ମାରକ । ବଲାଙ୍ଗୀର ଓ ସୋନପୁର ଜିଲ୍ଲାକୁ ନେଇ ଗଠିତ ସମବାୟ ବ୍ୟାଙ୍କରେ ୧୫ଜଣ ନିର୍ଦ୍ଦେଶକ ପଦ ଅଛି । ୧୩ଜଣ ବିଜେଡି ସମର୍ଥିତ ନିର୍ଦ୍ଦେଶକ ଓ ୨ ଜଣ କଂଗ୍ରେସ ସମର୍ଥିତ ଥିବା ଦୃଷ୍ଟିରୁ ଅଧ୍ୟକ୍ଷ ପଦ ବିଜେଡି ହାତରେ ରହିବ ବୋଲି ଆଶା କରାଯାଉଥିଲା । ମନ୍ତ୍ରୀ ନିରଞ୍ଜନ ପୂଝାରୀଙ୍କ ପଦ୍ମାବତୀ ପାତ୍ରଙ୍କୁ ଦଳୀୟ ପ୍ରାର୍ଥୀ କରିଥିଲେ । ନୋମିନେସନ୍‌ ଶେଷ ମୂହୁର୍ତ୍ତରେ ଆଉ ଜଣେ ବିଜେଡି ସମର୍ଥିତ ଅକ୍ଷୟ ରାଉତ୍‌ ମନୋନୟନ ପତ୍ର ଦାଖଲ କରିଥିଲେ । ତଥାପି ସଂଖ୍ୟା ଦୃଷ୍ଟିରୁ ଶାସକ ଦଳ ହାତରେ ଅଧ୍ୟକ୍ଷ ପଦ ରହିବ ବୋଲି ଆକଳନ କରାଯାଉଥିଲା । କିନ୍ତୁ ଫଳାଫଳ ସମସ୍ତଙ୍କୁ ଚକିତ କରିଛି । ବିଜେଡିକୁ ଲାଗିଛି ଶକ୍ତ ଧକ୍କା । ଗୋଳିଆ ପାଣିରୁ ବଲିଆ ଧରିନେଲେ କଂଗ୍ରେସ ସମର୍ଥିତ ସ୍ମାରକ ମିଶ୍ର । ସୂଚାଇ ଦିଆଯାଏ ଯେ, ସ୍ମାରକ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ପୁତୁରା । ପୌର ଓ ପଞ୍ଚାୟତ ନିର୍ବାଚନ ପରାଜୟ ପରେ ବିଡିସିସି ଅଧ୍‌କ୍ଷ ପଦ ଦଖଲ ଯୋଗୁଁ ସ୍ଥାନୀୟ କଂଗ୍ରେସ ମହଲରେ ଖୁସି ପ୍ରକାଶ ପାଇଛି । ବିଭିନ୍ନ ମହଲରୁ ସ୍ମାରକଙ୍କୁ ଶୁଭେଚ୍ଛା ସୁଅ ଛୁଟୁଛି । ଅନ୍ୟପଟେ ବଲାଙ୍ଗୀର ଓ ସୋନପୁର ବିଜେଡିରେ କାହିଁକି, କିପରି ଓ କିଏ କଲା ଏମିତି ଖେଳ ଏହାକୁ ନେଇ ଜୋରଦାର ଆଲୋଚନା ହେଉଛି ।

Comments (0)
Add Comment