ସମ୍ବଲପୁର : ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ପରଲୋକକୁ ଆଗାମୀ ୨୦୨୪ରେ ଶହେ ବର୍ଷ ହୋଇଯିବ ଓ ତାଙ୍କ ଜନ୍ମସ୍ଥାନ ବରପାଲିରେ ଏହି ଶ୍ରାଦ୍ଧ ଶତବାର୍ଷିକୀ ଏକ ଭବ୍ୟ ସମାରୋହ ରୂପେ ପାଳନ କରାଯିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ତାଙ୍କର ଅମୃତ ସାହିତ୍ୟକୁ ନେଇ ଆଜି ସମଗ୍ର ଓଡ଼ିଆ ସମାଜ ଗର୍ବିତ ଏଥିରେ କୌଣସି ସନ୍ଦେହ ନାହିଁ ଓ ବିଶେଷକରି ମେହେର ସମାଜ ପାଇଁ ସେ ଆଜି ଆଦର୍ଶ ଓ ଦିବ୍ୟ ପୁରୁଷ ରୂପେ ପୂଜିତ । ରବିବାର ଦିନ ଅନୁଷ୍ଠିତ ନିଖିଳ ଓଡ଼ିଶା ମେହେର ଭୁଲିଆ ସମାଜର କାର୍ଯ୍ୟକାରୀ କମିଟି ବୈଠକରେ ଏହି ଅନୁରୂପେ ପ୍ରସ୍ତାବ ଗ୍ରହଣ କରାଯାଇଛି । ଏଥିପାଇଁ ସଂଗଠନର ରାଜ୍ୟ ସଭାପତି ବୈଶମ୍ପାୟନ ମେହେରଙ୍କ ସଭାପତିତ୍ୱରେ ସମ୍ବଲପୁର ଠାରେ ଅନୁଷ୍ଠିତ ସଭାରେ ଗୃହିତ ପ୍ରସ୍ତାବ ଅନୁଯାୟୀ ଆସନ୍ତା ୨୦୨୪ ମସିହାରେ ବରପାଲି ଠାରେ ହେବାକୁ ଥିବା ମେହେର ଭୁଲିଆ ସମାଜର ଐତିହାସିକ ରାଷ୍ଟ୍ରୀୟ ମହା ସମ୍ମିଳନୀ (ମହାସଭା) ଓ କବି ଗଙ୍ଗାଧରଙ୍କ ୧୦୦ ତମ ପୂଣ୍ୟ ତିଥି ସପ୍ତାହ ବ୍ୟାପୀ ପାଳନ କରାଯିବ । କବିଙ୍କ ଦେହାବସାନ ୧୦୦ ବର୍ଷ ପୂର୍ତ୍ତି ଉତ୍ସବରେ ଦୁଇ ଲକ୍ଷ ମେହେର ପ୍ରତିନିଧିଙ୍କ ସମେତ ଦଶ ଲକ୍ଷ ଗଙ୍ଗାଧର ପ୍ରେମୀଙ୍କ ସମାଗମ ହେବା ଆଶା କରାଯାଉଛି, ଏହି ଦୃଷ୍ଟିରୁ ଉଦଘାଟନୀ ଉତ୍ସବରେ ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ, ଓଡ଼ିଶାର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଛି । ଏହା ସହିତ ଏହି ଅବସରରେ ପ୍ରତିଦିନ ଗଙ୍ଗାଧର ସାହିତ୍ୟ ଆଲୋଚନା, ସାହିତ୍ୟ ମେଳା, ବର୍ଣ୍ଣାଢ଼୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ, ପୁସ୍ତକ ମେଳା, ବାଣିଜ୍ୟ ମେଳା, ହସ୍ତତନ୍ତ ଓ ହସ୍ତଶିଳ୍ପ ପ୍ରଦର୍ଶନୀ ସହ ପ୍ରତିଦିନ ସ୍ଥାନୀୟ ବରପୁତ୍ର ଓ ବିଶିଷ୍ଟ ଅତିଥିମାନଙ୍କୁ ଦଳମତ ନିର୍ବିଶେଷରେ ନିମନ୍ତ୍ରିତ କରିବା ପାଇଁ ସ୍ଥିର ହୋଇଛି । ଏହି ସଭାରେ ସଂଗଠନର କାର୍ଯ୍ୟକାରୀ ସଭାପତି ସୁରେନ୍ଦ୍ର ମୋହନ ମେହେର, ସମ୍ପାଦକ ରମାକାନ୍ତ ମେହେର, ଶିବ ପ୍ରସାଦ ମେହେର, ସୁବାସ ମେହେର, ଗୋପବନ୍ଧୁ ମେହେର, ମହେନ୍ଦ୍ର କୁମାର ମେହେର, ପ୍ରସନ୍ନ ମେହେର, ସୁଧୀର ମେହେର, ଗୁଣନିଧି ମେହେର, ପ୍ରଦୀପ ମେହେର, ରାମକୃଷ୍ଣ ମେହେର, ସୁକାନ୍ତୀ ମେହେର, ମୋଟିରାମ୍ ମେହେର, ରାଧା ଚରଣ ମେହେରଙ୍କ ସମେତ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରତିନିଧିମାନେ ସାମିଲ ହୋଇ ସେମାନଙ୍କ ସୁଚିନ୍ତିତ ମତାମତ ଦେଇଥିଲେ ।