ସୁବର୍ଣ୍ଣପୁର : ଆଜି ମହାପ୍ରଭୁ ଜଗନ୍ନାଥଙ୍କ ନବଦିନାତ୍ମକ ଯାତ୍ରା ଅବସରରେ ଶ୍ରୀ ଗୁଣ୍ଡିଚା ମନ୍ଦିରଠାରେ ଶ୍ରୀଜିଉଙ୍କ କୃଷ୍ଣବଳରାମ କାଳୀୟ ଦଳନ ଅବତାର ଅନୁଷ୍ଠିତ ହୋଇଛି । ଦିନସାରା ଝିପଝିପି ବର୍ଷା ସତ୍ତେ୍ୱ ମହାପ୍ରଭୁଙ୍କ ଏପରି ଦିବ୍ୟଲୀଳାକୁ ଦେଖିବାକୁ ଭକ୍ତ ଓ ଶ୍ରଦ୍ଧାଳୁ ସମୁହ ବ୍ୟାକୁଳ ଥିବାଭଳି ପ୍ରତୀୟମାନ ହୋଇଥିଲା । ଭକ୍ତମାନଙ୍କର ଶୃଙ୍ଖଳିତ ଦର୍ଶନ ପାଇଁ ରଥଯାତ୍ରା କମିଟି ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ହୋଇଛି । ଏହି ଦିବ୍ୟ ଅବତାରକୁ ଦର୍ଶନ ପାଇଁ ଆଜି ମଧ୍ୟ ଭକ୍ତମାନେ ଲମ୍ବା ଧାଡିରେ ରହିଥିବା ଦେଖିବାକୁ ମିଳୁଥିବାବେଳେ ଏହି ପବିତ୍ର ଦେବଭୂମି ଏବେ ଉତ୍ସବମୁଖର ହୋଇ ଉଠୁଛି । ଏହାସହ ସହରର ବୃନ୍ଦାବନ ବିହାରୀ ମନ୍ଦିର, ଥନାପତିପଡା,ମଝିପଡାର ମଣ୍ଡପରେ ଦଧିବାବନ ତଥା ଜିଲ୍ଲାର କୋଟସମଲାଇସ୍ଥିତ ପାତାଳି ଶ୍ରୀକ୍ଷେତ୍ର ଓ ତରଭା ତଥା ଜିଲ୍ଲାର ବିଭିନ୍ନ ଜଗନ୍ନାଥ ପୀଠଠାରେ ଏବେ ମହାପ୍ରଭୁଙ୍କ ଦିବ୍ୟଲୀଳାକୁ ଦର୍ଶନ କରି ଭକ୍ତମାନେ ଅଭିଭୂତ ହୋଇଥିବା ଜଣାଯାଇଛି ।