ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳର ପ୍ରସିଦ୍ଧ ଶୈବପୀଠ ଚରଦା ସ୍ଥିତ ବାବା କପିଳେଶ୍ୱର ମନ୍ଦିରରୁ ଲଗାତାର ୨ଥର ଚୋରୀ ହୋଇଥିଲେ ହେଁ ଚୋରୀ ସାମଗ୍ରୀ ଉଦ୍ଧାର ତ ଦୂରର କଥା ଚୋର ମାନଙ୍କୁ ମଧ୍ୟ ପୋଲିସ ଧରିବାରେ ବିଫଳ ହୋଇଥିବାର ଅଭିଯୋଗ କରି ଆଜି ସକାଳେ ଅଞ୍ଚଳବାସୀଙ୍କ ତରଫରୁ ବିନିକା ସୋନପୁର ମୁଖ୍ୟରାସ୍ତା ଚୌକି ଜୋର୍ ଛକ ଠାରେ ରାସ୍ତାରୋକ କରାଯାଇଥିଲା । ଏଥିରେ ମନ୍ଦିରର ସେବାୟତ,ଟ୍ରଷ୍ଟବୋର୍ଡ କମିଟି କର୍ମକର୍ତ୍ତାଙ୍କ ସହ ଅଞ୍ଚଳବାସୀ ପୋଲିସର କାର୍ଯ୍ୟକଳାପକୁ ଘୋର ନିନ୍ଦା କରିବା ସହ ପୋଲିସ ବିରୁଦ୍ଧରେ ନାରାବାଜି ଦେଇ ରାସ୍ତା ଅବରୋଧ କରିଥିଲେ । ଦୀର୍ଘ ଘଣ୍ଟା ଧରି ରାସ୍ତାରୋକ ଯୋଗୁଁ ଉଭୟ ପାର୍ଶ୍ୱରେ ଶତାଧିକ ଯାନବାହାନ ଅଟକି ରହିଥିଲା ।ସ୍ଥାନୀୟ ତହସିଲଦାର,ପୋଲିସ ଏସଡିପିଓ, ବିନିକା ଥାନା ଅଧିକାରୀ ଘଟଣାସ୍ଥକରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଥିଲେ ।ହେଲେ ସେମାନେ ନିଜ ଜିଦରେ ଅଟଳ ରହିବାରୁ ଶେଷରେ ପ୍ରଶାସନ ୨୫ ଦିନ ଭିତରେ ଚୋର ଧରାଯିବ ଓ ଚୋରି ସାମଗ୍ରୀ ଉଦ୍ଧାର ହେବ ବୋଲି ଦୃଢ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ସୂଚନା ଯୋଗ୍ୟ ଯେ ଅକ୍ଟୋବର ୨୨ତାରିଖ ବିଳମ୍ବିତ ରାତିରେ କେତେକ ମୁଖାପିନ୍ଧା ଦୁର୍ବୃତ୍ତ ମନ୍ଦିର ପଛପଟୁ ପ୍ରବେଶ କରି ସିଂହଦ୍ୱାର,ବାବା କପିଳେଶ୍ୱର ପୀଠ ଓ ଇଷ୍ଟଦେବୀ ମା ଚରଦେଇ ମନ୍ଦିର ସମ୍ମୁଖରେ ଥିବା ଦାନବାକ୍ସକୁ ଚତୁରତାର ସହିତ ତାଡି ସେଥିରେ ଥିବା ଭକ୍ତଙ୍କ ଦାନ ଟଙ୍କା ନେଇ ଯାଇଥିଲେ । ସେହିପରି ୨୦୧୧ମସିହାରେ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା,ରୂପା ଅଳଙ୍କାର,ଦାନବାକ୍ସ ସହ ଗୁରୁତ୍ତ୍ୱପୂର୍ଣ୍ଣ କାଗଜ ପତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ ଉଦ୍ଧାର କରିବାରେ ବିଫଳ ହୋଇଛି । ଅଞ୍ଚଳର ଭାବାବେଗ ସହ ଜଡ଼ିତ ଏହି ଐତିହାସିକ ମନ୍ଦିରରୁ ବାରମ୍ବାର ଚୋରୀ ଓ ଚୋର ମାନେ ଧରା ନ ପଡିବା ଅବା ଚୋରୀ ସାମଗ୍ରୀ ଉଦ୍ଧାର ନହେବା ଘଟଣା ଶ୍ରଦ୍ଧାଳୁ ଭକ୍ତ,ସେବାୟତ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଏହି ଘଟଣା ନେଇ ସ୍ଥାନୀୟ ଥାନା ଅଧିକାରୀଙ୍କୁ ବାରମ୍ବାର ଲିଖିତ ଅଭିଯୋଗ ଏବଂ ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲୀ ସୁନୀଲ ନରୱଣେଙ୍କୁ ମଧ୍ୟ ଉକ୍ତ ସ୍ପର୍ଶକାତର ପ୍ରସଙ୍ଗ ଉପରେ ଅଭିଯୋଗ କରିବା ସହିତ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଙ୍କୁ ଦାବିପତ୍ର ପ୍ରଦାନ କରିବା ସତ୍ତେ୍ୱ ମଧ୍ୟ ଚୋର ଧରାପଡ଼ି ନାହାନ୍ତି । ତେଣୁ ପୋଲିସ ଉପରେ ଥିବା ଆସ୍ଥା ସମ୍ପୂର୍ଣ୍ଣ ତୁଟି ଯାଇଚି ବୋଲି ଅଞ୍ଚଳର ଜନସାଧାରଣ ରାସ୍ତାରୋକ ଆନ୍ଦୋଳନ କରିଛନ୍ତି ବୋଲି ଆନ୍ଦୋଳନ କାରୀଙ୍କ ସୁତ୍ରରୁ ପ୍ରକାଶ ।