କନ୍ଧମାଳ-ଗଞ୍ଜାମ ସୀମାନ୍ତରେ ହନ୍ତସନ୍ତ ବାଦଗଡ଼ବାସୀ, ସୀମା ନିର୍ଦ୍ଧାରଣ ନହେବାରୁ ନିର୍ମାଣ ହୋଇପାରୁନି ୪କିଲୋମିଟର ରାସ୍ତା

ବାଲିଗୁଡା: କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ ରଣବା ପଞ୍ଚାୟତ କନ୍ଧମାଳ ଓ ଗଞ୍ଜାମ ଜିଲ୍ଲା ସୀମାନ୍ତରେ ଅବସ୍ଥିତ । ବ୍ଲକ ମୁଖ୍ୟାଳୟକୁ ଏଠାରୁ ଦୂରତା ୬୫ କିଲୋମିଟର ହେଉଥିବା ବେଳେ ଜିଲ୍ଲା ମୁଖ୍ୟାଳୟକୁ ପ୍ରାୟ ୧୫୦ କିଲୋମିଟର ଦୂରତା ହେଉଛି । ରାଇକିଆ ବ୍ଲକରେ ଏହି ପଞ୍ଚାୟତରେ ସାମିଲ ଥିବା ବେଳେ ସୀମାନ୍ତରେ ଥିବାରୁ ଏଠାରୁ ଗଞ୍ଜାମ ଜିଲ୍ଲା ସୋରଡାର ଦୂରତା ମାତ୍ର ୧୨କିଲୋମିଟର । ରଣବା ପଞ୍ଚାୟତର ବାଦଗଡ଼ ସମେତ ୨୨ ଗୋଟି ଗ୍ରାମବାସୀ ଗଞ୍ଜାମ ଜିଲ୍ଲାର ସୋରଡ଼ା ଉପରେ ସ୍ୱାସ୍ଥ୍ୟସେବାଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ନିର୍ଭରଶୀଳ କିନ୍ତୁ ୧୨କିଲୋମିଟର ମଧ୍ୟରେ କରେଶ୍ୱରୀ ଘାଟିଠାରୁ ୪କିଲୋମିଟର ଦୂର ଯାଏଁ ଥିବା ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ରହିଛି । ଦୀର୍ଘ ୫୦ବର୍ଷ ତଳେ ନିର୍ମାଣ ହୋଇଥିବା ରାସ୍ତାରେ ଆଜି ପର୍ଯ୍ୟନ୍ତ ମାଟି ମୁଠାଏ ପଡିନି । ରଣବା ପଞ୍ଚାୟତ ଓ ଇନ୍ଦ୍ରଗଡ଼ ଅଞ୍ଚଳବାସୀଙ୍କ ପାଇଁ ବାଦଗଡ଼ ଠାରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲା ଯାଇଥିଲେ ସୁଦ୍ଧା ସେଠାରେ ଗୁରୁତର ରୋଗୀଙ୍କ ପାଇଁ ସେବା ଉପଲବ୍ଧ ନଥିବାରୁ ଅଞ୍ଚଳବାସୀ ଜରୁରୀକାଳୀନ ପରିସ୍ଥିତିରେ ଲୋକେ ରୋଗୀଙ୍କୁ ଖଟିଆରେ ବୋହି ୧୨କିଲୋମିଟର ଦୂର ସୋରଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥାନ୍ତି ।

ଅନେକ ସମୟରେ ଗର୍ଭବତୀ ମହିଳା ମାନେ ବାଟରେ ପ୍ରସବ ସହିତ ଅନେକ ସମୟରେ ରୋଗୀଙ୍କ ଜୀବନ ଚାଲି ଯାଇଥିବା କହିଛନ୍ତି ଅଂଚଳବାସୀ । ୪କିଲୋମିଟର ରାସ୍ତା ନିର୍ମାଣ ନହୋଇପାରିବାରୁ ଅତ୍ୟନ୍ତ ଦୟନୀୟ ହୋଇ ରହିଥିବା ଏହି ଘାଟି ରାସ୍ତାରେ ଅଟୋ ବହୁ କଷ୍ଟରେ ସୋରଡ଼ା କୁ ଯିବା ଆସିବା କରୁଥିବା ବେଳେ ଘାଟିରେ ମହିଳା ମାନେ ଶିଶୁ ମାନଙ୍କୁ ଧରି ଚାଲି ଚାଲି ଅଟୋକୁ ପଛରୁ ଧକ୍କା ଦେଇ ଆସୁଛନ୍ତି । ରାସ୍ତା ନିର୍ମାଣ ପାଇଁ ୧୯୯୮ ମସିହାରୁ ରାଇକିଆ ବ୍ଲକ ସହିତ ସୋରଡ଼ା ବ୍ଳକ ଠାରୁ ଆରମ୍ଭ କରି ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀ ଓ ସୋରଡା ବିଧାୟକ ଙ୍କୁ ଅନେକ ଥର ଲିଖିତ ଭାବେ ଅନୁରୋଧ କରିଛନ୍ତି କିନ୍ତୁ ମାତ୍ର ୪ କି.ମି. ରାସ୍ତା ନିର୍ମାଣ ହୋଇ ପାରୁନଥିବା ଯୋଗୁଁ ଅନେକ ସମୟରେ ଉକ୍ତ ରାସ୍ତାନେଇଛି ଗୁରୁତର ରୋଗୀଙ୍କର ଜୀବନ ।

ଉକ୍ତ ୪ କିଲୋମିଟର କନ୍ଧମାଳ ନା ଗଞ୍ଜାମ ଜିଲ୍ଲାର ତାହା ନିର୍ଦ୍ଧାରଣ ହେଉନଥିବା ବେଳେ ଜିଲ୍ଲା ପ୍ରଶାସନ ଉକ୍ତ ଘାଟି ରାସ୍ତା ନିର୍ମାଣ ପାଇଁ ହେଉ କିମ୍ବା ମରାମତି ପାଇଁ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରୁନଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ନିର୍ବାଚନ ସମୟରେ ନେତା ମନ୍ତ୍ରୀ ମାନେ ଗାଁ କୁ ଆସିଥିଲେ । ବର୍ତ୍ତମାନର ବିଧାୟକ ମଧ୍ୟ ଆସି ପୁଳା ପୁଳା ପ୍ରତିଶୃତି ଦେଇଥିଲେ କିନ୍ତୁ ନିର୍ବାଚନ ଜିତିବା ପର ଠାରୁ କିନ୍ତୁ ତାଙ୍କ ପାଦ ବାଦଗଡ଼ରେ ପଡିନଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ସୀମାନ୍ତରେ ଥିବାରୁ ପ୍ରଶାସନିକ ଅଧିକାରୀଙ୍କ ପାଦ ମଧ୍ୟ ଏଠାରେ ପଡୁନି । ତେଣୁ ସୀମାନ୍ତରେ ଥିବା ଏହି ବାଦଗଡ଼ବାସୀଙ୍କ ପାଇଁ କରେଶ୍ୱରୀ ଘାଟିରେ ଥିବା ଏହି ୪କିଲୋମିଟର ରାସ୍ତା ନିର୍ମାଣ କରିବା ପାଇଁ ଗ୍ରାମବାସୀମାନେ ରାଜ୍ୟ ସରକାର ଓ ପ୍ରଶାସନ ନିକଟରେ ଦାବି ରଖିଛନ୍ତି । ଯଦି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଗ୍ରାମବାସୀଙ୍କ ଦାବି ପୂରଣ କରିବେ ନାହିଁ ତେବେ ଗ୍ରାମବାସୀମାନେ ଆଗାମୀ ସାଧାରଣ ନିର୍ବାଚନ ବର୍ଜନ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି ।

Comments (0)
Add Comment