ପୁରୀ ସହରରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନେଇ ଉଠିଲା ପ୍ରଶ୍ନ

ପୁରୀ : ପୁରୀ ବଡଦାଣ୍ଡର ଲକ୍ଷ୍ମୀ ମାର୍କେଟ କଂପ୍ଲେକ୍ସରେ ଅଗ୍ନିକାଣ୍ଡ ଘଟଣା ପରେ ପୁରୀ ସହରରେ ଥିବା ବିଭିନ୍ନ ହୋଟେଲ, ଲଜ୍‌ ଓ ମାର୍କେଟ କଂପ୍ଲେକ୍ସରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନେଇ ବଡପ୍ରଶ୍ନ ଠିଆ ହୋଇଛି । ବଡ଼ଦାଣ୍ଡ ସମେତ ସମୁଦ୍ର କୂଳ ଅଞ୍ଚଳରେ ଶହ ଶହ ହୋଟେଲ, ଲଜ୍‌, ସପିଙ୍ଗ ମଲ୍‌ ବିନା ଅଗ୍ନି ନିରାପତ୍ତା ବ୍ୟବସ୍ଥାରେ ଚାଲୁଥିବା ବେଳେ ଜିଲ୍ଲା ପ୍ରଶାସନ ଚୁପ୍‌ ରହିବା ସମସ୍ତଙ୍କୁ ଚକିତ କରିଛି । ସହରରେ ତିନି ହଜାରରୁ ଅଧିକ ହୋଟେଲ, ଲଜିଂ ସହ ବ୍ୟବସାୟୀକ ପ୍ରତିଷ୍ଠାନର କୋଠା ରହିଛି । ଅଗ୍ନିଶମ ବିଭାଗ ପକ୍ଷରୁ ଯାଞ୍ଚ କରାଯାଇ ମାତ୍ର ୩ ଶହ ଅନୁଷ୍ଠାନକୁ ଅଗ୍ନି ନିରାପତ୍ତା ପ୍ରମାଣ ପତ୍ର ପାଇବାକୁ ଯୋଗ୍ୟ ବୋଲି ଚିହ୍ନଟ କରାଯାଇଛି । ଏହି ତିନି ଶହରୁ ମାତ୍ର ୧୩ଟି ଅନୁଷ୍ଠାନ ଅଗ୍ନି ନିରାପତ୍ତା ପ୍ରମାଣ ପତ୍ର ନେଇଛନ୍ତି । ବାରମ୍ବାର ନୋଟିସ ହେଲେ ମଧ୍ୟ ଏହାକୁ କେହି ଖାତିର୍‌ କରୁନାହାନ୍ତି । ପୂର୍ବରୁ ଅନେକ ଅନୁଷ୍ଠାନ ଓ ବୁଦ୍ଧିଜୀବିଙ୍କ ପକ୍ଷରୁ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିବା ବେଳେ ଏନେଇ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ଚୁପ୍‌ ରହିବା ସମସ୍ତଙ୍କୁ ତାଜୁବ୍‌ କରିଛି । ଲକ୍ଷ୍ମୀ ମାର୍କେଟ କଂପ୍ଲେକ୍ସରେ ଅଗ୍ନିକାଣ୍ଡ ଘଟଣା ପରେ ଏବେ ବହୁ ଚାଞ୍ଚଲ୍ୟ କର ତଥ୍ୟ ପଦାକୁ ଆସୁଛି । ମାର୍କେଟ କଂପ୍ଲେକ୍ସ ପଛରେ ଥିବା ପ୍ରଭୁ କର୍ଣ୍ଣାମେଶ୍ୱର ମନ୍ଦିରର ଜାଗାକୁ ମାର୍କେଟ କଂପ୍ଲେକ୍ସ ମାଲିକ ଜୋରଜବରଦସ୍ତ ମାଡିବସି ବ୍ୟବସାୟ କରୁଥିବା ଅଭିଯୋଗ ହୋଇଛି । ତେବେ ଠାକୁରଙ୍କ ଜମି ଉଦ୍ଧାର ପାଇଁ ବିଭିନ୍ନ ମହଲରେ ଦାବି ଉଠିଥିବା ବେଳେ ଏହି ସମ୍ପର୍କରେ ଏବେ ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଲକ୍ଷ୍ମୀ ମାର୍କେଟ କ୍‌ପ୍ଲେକ୍ସ ଅଗ୍ନିକାଣ୍ଡ ଘଟଣାର ତଦନ୍ତ ରିପୋର୍ଟ ପ୍ରଶାସନର ହସ୍ତଗତ ହୋଇଛି । ମାର୍କେଟ କଂପ୍ଲେକ୍ସର ଜମି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଥିବା ଜଣାପଡିଛି ।

ଏଣୁ ଏହି ଜମି ମାର୍କେଟ କଂପ୍ଲେକ୍ସ ମାଲିକ କିଭଳି ହାତେଇଲେ ସେନେଇ ତଦନ୍ତ ଆରମ୍ଭ କରିଛି ପ୍ରଶାସନ । ମାର୍କେଟ କଂପ୍ଲେକ୍ସଟି ମୋଟ ୨୫ ଡିସିମିଲି ଜମିରେ ଥିବାବେଳେ ୨୨ ଡିସିମିଲି ମହାପ୍ରଭୁଙ୍କ ନାମରେ ଓ ମାତ୍ର ୩ ଡିସିମିଲି ମାର୍କେଟ କଂପ୍ଲେକ୍ସ ମାଲିକ ନାଁ ରେ ରହିଛି । ତେବେ ଏହି ଜମିକୁ ମାର୍କେଟ କଂପ୍ଲେକ୍ସ ମାଲିକ ଶ୍ରୀମନ୍ଦିର ପ୍ରଶାସନ ଠାରୁ ଲିଜ୍‌ ଆକାରରେ ଆଣିଛନ୍ତି? କି ବେଆଇନ ଭାବେ ଜବରଦଖଲ କରିଛନ୍ତି ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି । ସେପଟେ ଅଗ୍ନିକାଣ୍ଡର କ୍ଷୟକ୍ଷତି ରିପୋର୍ଟ ଖୁବଶୀଘ୍ର ସ୍ୱତନ୍ତ୍ର ରିଲିଫ କମିଶନରଙ୍କୁ ପ୍ରଦାନ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ତେବେ ପୁରୀ ସହରରେ ଶହ ଶହ ହୋଟେଲ, ଲଜିଂ ଓ ମାର୍କେଟ କଂପ୍ଲେକ୍ସ ବିନା ଅଗ୍ନି ନିରାପତ୍ତା ବ୍ୟବସ୍ଥାରେ ଚାଲିଥିବା ବେଳେ ଜିଲ୍ଲା ପ୍ରଶାସନ ସହଯୋଗ ମିଳିଲେ ଅଗ୍ନିଶମ ବିଭାଗ ଏନେଇ ଆବଶ୍ୟକ ପଦକ୍ଷେପ ନେବ ବୋଲି କହିଛନ୍ତି ଅଗ୍ନିଶମ ଅଧିକାରୀ । ଲକ୍ଷ୍ମୀ ମାର୍କେଟ କଂ୍‌ପ୍ଲେକ୍ସ ଅଗ୍ନିକାଣ୍ଡ ଘଟଣାରେ ଅନେକ ବ୍ୟବସାୟୀ ସର୍ବସ୍ୱାନ୍ତ ହୋଇଥିବା ବେଳେ ଏହା ପଛରେ ପ୍ରଶାସନର ଅବହେଳା ହିଁ ଦାୟୀ ବୋଲି ସ୍ପଷ୍ଟ ହୋଇଯାଇଛି । ତେବେ ଆଗାମୀ ଦିନରେ କୌଣସି ବଡ଼ ଅଘଟଣକୁ ପ୍ରଶାସନ ଅପେକ୍ଷା ନକରି ତୁରନ୍ତ ସହରରେ ଥିବା ହୋଟେଲ, ଲଜିଂ ଓ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନର କୋଠା ଗୁଡିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କଡାକଡି କରିବାର ଆବଶ୍ୟକତା ରହିଛି ।

Comments (0)
Add Comment