ତାପମାତ୍ରା ବୃଦ୍ଧି ପାଉଛି : ପିଇବା ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଲଣ୍ଡାଗାଁ ପଞ୍ଚାୟତବାସୀ

ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ଆଜକୁ କିଛିଦିନ ହେଲା ପ୍ରବଳ ଖରା ସାଙ୍ଗକୁ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ ଜଳସ୍ତର କମିବା ରେ ଲାଗିଛି । ପ୍ରତିଦିନର ତାପମାତ୍ରା ୪୦ରୁ ୪୧ଡିଗ୍ରୀ ରହୁଛି । ତାପମାତ୍ରା ବୃଦ୍ଧି କାରଣରୁ ନଦୀ ନାଳ ଓ କୂପରେ ଜଳସ୍ତର କମିବାରେ ଲାଗିଛି । ଲୋକମାନେ ଜଳ ସଂଗ୍ରହ କରିବାରେ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଏଭଳି ପରିସ୍ଥିତିରେ ବାଲିଗୁଡା ବ୍ଲକ୍‌ ଉପାନ୍ତ ପଞ୍ଚାୟତ ଲଣ୍ଡାଗାଁରେ ୧୧ଟି ୱାର୍ଡକୁ ନେଇ ଗଠିତ ପଞ୍ଚାୟତରେ ରୁହନ୍ତି ୧୫ଶହରୁ ଅଧିକ ଲୋକ । ସରକାରଙ୍କ ବିଶୁଦ୍ଧପାଣି ପାଇଁ ଗାଁଗାଁକୁ ପିଇବା ପାଣିର ସୁବିଧା ପାଇଁ ବସୁଧା ଯୋଜନାରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରି ଗ୍ରାମ୍ୟ ଜଳଯୋଗାଣ ବିଭାଗ ପକ୍ଷରୁ ଓଭରଟ୍ୟାଙ୍କ କରାଯାଇଥିବା ବେଳେ ଲଣ୍ଡାଗାଁ ଭଳି ଗ୍ରାମ ପଞ୍ଚାୟତରେ ପିଇବା ପାଣିର ଘୋର ଅଭାବ ସାଙ୍ଗକୁ ୱାର୍ଡ ବା ବସ୍ତି ମଧ୍ୟରେ ଥିବା ନଳକୂପ ଖରାପ ଥିବା ବେଳେ କାଁଭାଁ ଯେଉଁଗୁଡିକ ଠିକ୍‌ ଅଛି ତାକୁ ବହୁ ସମୟ କସରତ କଲେ ଯାଇ ବଡ଼ କଷ୍ଟରେ ବାଲଟିଏ ପାଣି ବାହାରୁ ଥିବା ବେଳେ ପିଇବା ପାଣି ପାଇଁ ଲୋକେ ନାହିଁ ନଥିବା ହଇରାଣ ହେଉଥିବା ଦେଖିବାକୁ ମିଳିଛି । ଏପଟେ ଦିନବେଳର ଡହ ଡହ ଖରାରେ ଲୋକେ ସକାଳୁ ବାହାରକୁ ବାହାରିବା କଷ୍ଟସାଧ୍ୟ ହେଉଥିବା ବେଳେ ପଞ୍ଚାୟତକୁ ନିଜର ଯାବତୀୟ କାମ ପାଇଁ ତଥା ବଜାରକୁ ଖରାବେଳେ ଦୂରରୁ ଆସୁଥିବା ଲୋକଙ୍କ ପାଇଁ ପଞ୍ଚାୟତ ପକ୍ଷରୁ ଜଳଛତ୍ର ଆଜି ପର୍ଯ୍ୟନ୍ତ ଖୋଲା ଯାଇନଥିବା ବେଳେ ଲଣ୍ଡାଗାଁ ପଞ୍ଚାୟତ ଉପରେ ନିର୍ଭର କରୁଥିବା ଲୋକ ଟୋପାଏ ପିଇବା ପାଣି ପାଇଁ ନାହିଁ ନଥିବା ହଇରାଣ ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ସରକାର ବିଭିନ୍ନ ବୈଦ୍ୟୁତିକ ଗଣମାଧ୍ୟମ ଓ ଖବରକାଗଜରେ ତାତି ବଢିବାର ପୂର୍ବାନୁମାନ କରିବା ସହ ସବୁ ପଞ୍ଚାୟତ ଓ ସହର ବଜାର ଓ ରାସ୍ତା କଡରେ ପିଇବା ପାଣି ପାଇଁ ଜଳଛତ୍ର ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ ସୁଦ୍ଧା ନିର୍ଦ୍ଦେଶକୁ ଫୁ କରୁଥିବା ଏହି ଲଣ୍ଡାଗାଁ ପଞ୍ଚାୟତରେ ଦେଖିବାକୁ ମିଳିଛି । ଏନେଇ ସରପଞ୍ଚ ତୁଳସୀ ଝଙ୍କାରଙ୍କୁ ପଚାରିବାରୁ ସେ ଏନେଇ କିଛି ଉତ୍ତର ନ ଦେଇ ଫୋନଟିକୁ କାଟିଦେଇଥିଲେ । ଜଳଛତ୍ର ସହ ପିଇବା ପାଣିର ସମସ୍ୟା ନେଇ ସରପଞ୍ଚଙ୍କଠାରୁ ଆରମ୍ଭ କରି ଗ୍ରାମ୍ୟ ଜଳଯୋଗାଣ ବିଭାଗ ଅଧିକାରୀଙ୍କୁ ଲିଖିତ ଅଭିଯୋଗ ସହ ମୈାଖିକ ଭାବେ କହି ଆସୁଥିଲେ ସୁଦ୍ଧା ପାଣିର ସୁବିଧା କରିବା ଓ ନଳକୂପ ମରାମତି କରିବାର ଦେଖିବାକୁ ମିଳୁନଥିବା ବିଷୟ ଅଞ୍ଚଳ ବାସୀଙ୍କ ତରଫରୁ ଅଭିରାମ ରଣା, ରାଜେନ୍ଦ୍ର ମାଲିକ୍‌, ମୋତିଲାଲ ରଣା, ଟଙ୍କଧର ରଣା, କବିରାଜ ରଣା, ସଦାନନ୍ଦ କୁଦେଇ ପ୍ରମୁଖ ଅଭିଯୋଗ କରିଛନ୍ତି ।

Comments (0)
Add Comment