ସମ୍ବଲପୁର:ଏଠାରେ ହାଇକୋର୍ଟର ଏକ ସ୍ଥାୟୀ ବେଞ୍ଚ ସ୍ଥାପନ ଆନ୍ଦୋଳନ ସନ୍ଦର୍ଭରେ ଆଜି ନାଗରିକ କ୍ରିୟାନୁଷ୍ଠାନ କମିଟି ରାସ୍ତାରୋକ କରି ବିଚାର ବିଭାଗୀୟ ସମସ୍ତ କାର୍ଯ୍ୟାଳୟ ଗୁଡ଼ିକୁ ବନ୍ଦ କରି ଦେଇଥିବା ଜଣାପଡିଛି । ଜିଲ୍ଲାଜଜଙ୍କ ନେତୃତ୍ୱରେ ଏଠାକାର ବିଚାର ବିଭାଗୀୟ ସବୁ ଅଧିକାରୀ ସବୁଦିନ ପରି ଆଜି ମଧ୍ୟ ନିଜ କାର୍ଯ୍ୟରେ ଆସିଲା ବେଳକୁ ସେମାନଙ୍କୁ କଚେରୀ ଛକଠାରେ ଏହି ରାସ୍ତାରୋକ ଆନ୍ଦୋଳନର ସମ୍ମୁଖୀନ ହେବାକୁ ପଡିଥିଲା । ସେଠାରେ ସାମାନ୍ୟ ଆଲୋଚନା ପରେ ନିଜ କାର୍ଯ୍ୟାଳୟକୁ ଯିବାପାଇଁ ଚେଷ୍ଟା କରିବାରୁ ଆନ୍ଦୋଳନରତ କିଛି ମହିଳା ହଠାତ ଉକ୍ତ ଅଧିକାରୀଙ୍କ ସାମନାରେ ତଳେ ଶୋଇପଡ଼ି ସେମାନଙ୍କ ପଥରୋଧ କରିଥିଲେ । ଏଭଳି ପରିସ୍ଥିତିରେ ଏଥିପାଇଁ ପ୍ରସ୍ତୁତ ନଥିବାରୁ ସେମାନେ ବିଚଳିତ ହୋଇ ପଡ଼ିଥିଲେ ସେମାନଙ୍କ ନିର୍ଦ୍ଦେଶ କ୍ରମେ ସେଠାରେ ମୁତୟନ ଉଚ୍ଚ ପୁଲିସ ଅଧିକାରୀ ମହିଳାମାନଙ୍କୁ ଉଠିବା ପାଇଁ ଅନୁରୋଧ କରିଥିଲେ । ଆନ୍ଦୋଳନକାରୀଙ୍କୁ ନିଜ ସ୍ଥିତି ବିଷୟରେ ବୁଝାଇ ସେଠାରେ ଜିଲ୍ଲାଜଜ କହିଲେ ଯେ ଆଜି ହାଇକୋର୍ଟ ସହିତ ତାଙ୍କର ଭିଡିଓ କନଫରେନ୍ସରେ ବସିବାର କାର୍ଯ୍ୟକ୍ରମ ରହିଛି ଏଣୁ ତାଙ୍କୁ ବାଟ ଛାଡିଦିଆଯାଉ । ଏହାର ଉତ୍ତର ଦେଇ ଆନ୍ଦୋଳନରେ ସାମିଲ କିଛି ନେତୃସ୍ଥାନୀୟ ବ୍ୟକ୍ତି କହିଲେ ଯେ ଆଜି ତାଙ୍କୁ ବାଟ ଦିଆଯିବାକୁ ସେମାନେ କୌଣସି ମତେ ରାଜି ହୋଇପାରିବେ ନାହିଁ । ଏହିପରି ଦୀର୍ଘ ଘଣ୍ଟାଏ ଖଣ୍ଡେ ତର୍କ ବିତର୍କ ପରେ ଜିଲ୍ଲାଜଜ ତାଙ୍କର ଉଚ୍ଚାଧିକାରୀଙ୍କ ସହିତ ସ୍ଥିତି ବିଷୟରେ ଆଲୋଚନା କରିଥିଲେ । ଇତିମଧ୍ୟରେ ସେ ଆନ୍ଦୋଳନ ବିଷୟରେ ଉଠାଯାଇଥିବା କିଛି ଫଟୋ ଓ ଭିଡ଼ିଓ ମଧ୍ୟ ପଠାଇ ଥିଲେ । ଦୀର୍ଘ ସମୟ ପର୍ଯ୍ୟନ୍ତ ଉଭୟ ପକ୍ଷ ନିଜ ନିଜ ଜିଦରେ ଅଟଳ ରହିବା ପରେ ଜିଲ୍ଲାଜଜ ସଦଳବଳ ସହିତ ସେଠାରୁ ଫେରିଗଲେ ।ଏହି ସନ୍ଦର୍ଭରେ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ଆହ୍ୱାନ କ୍ରମେ ଆଜି ବିଭିନ୍ନ ଜିଲ୍ଲାରେ ଆଜି ଏହିପରି ବିରୋଧ ଦିବସ ପାଳନ କରାଯାଇଛି । ଏଠାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ବିଷୟରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପାଇଁ ଏହି କମିଟି ପକ୍ଷରୁ ଆଜି ଏକ ପ୍ରତନିଧି ମଣ୍ଡଳୀ ରାଜଧାନୀ ଭୁବନେଶ୍ୱର ଯାଇଛନ୍ତି ।